Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CJP ବିକ୍ଷୋଭ ବିବାଦ: ମହିଳାଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀ ପୁଲିସ ଅଧିକାରୀଙ୍କୁ ଜନ୍ତରମନ୍ତରରୁ ହଟାଗଲା

ନୂଆଦିଲ୍ଲୀ: ଦିଲ୍ଲୀରେ କକରୋଚ୍‌ ଜନତା ପାର୍ଟି (CJP)ର ‘ଚଲୋ ସଂସଦ’ ବିକ୍ଷୋଭ ସମୟରେ ଜଣେ ମହିଳା ପ୍ରଦର୍ଶନକାରୀଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସର ଅତିରିକ୍ତ ଉପ-ପୁଲିସ କମିଶନର (Additional DCP) ସନ୍ଦୀପ ଲାମ୍ବାଙ୍କୁ ଜନ୍ତରମନ୍ତର ଡ୍ୟୁଟିରୁ ହଟାଇ ଦିଆଯାଇଛି। ଜୁଲାଇ ୨୦ରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ବିବାଦ ବଢ଼ିଥିଲା। ବିକ୍ଷୋଭକାରୀମାନେ ନିଟ୍‌ ସହ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ହୋଇଥିବା କଥିତ ଅନିୟମିତତାକୁ ନେଇ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଥିଲେ।

ଏହି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍ ଅଭିଯୋଗ କରିଥିଲେ ଯେ, ଭିଡିଓରେ ସନ୍ଦୀପ ଲାମ୍ବା ଜଣେ ଶାନ୍ତ ମହିଳା ପ୍ରଦର୍ଶନକାରୀଙ୍କୁ ଚାପୁଡ଼ା ମାରୁଥିବା ସ୍ପଷ୍ଟ ଦେଖାଯାଉଛି। ସେ କହିଥିଲେ, ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଥମ ପଦକ୍ଷେପ ଭାବେ ୱାଟର କ୍ୟାନନ୍ ବ୍ୟବହାର କରିବା ବଦଳରେ ପୁଲିସ ସିଧାସଳଖ ଲାଠିଚାର୍ଜ ଓ ଟିୟର ଗ୍ୟାସ୍‌ର ସହାୟତା ନେଇଥିଲା। ହାଇକୋର୍ଟ ପୁଲିସ, କେନ୍ଦ୍ର ସରକାର ଏବଂ ଜାତୀୟ ମାନବାଧିକାର ଆୟୋଗ (NHRC)ଙ୍କୁ ନୋଟିସ୍‌ ଜାରି କରିବା ସହ ସିସିଟିଭି ଫୁଟେଜ୍‌ ସମେତ ସମସ୍ତ ପ୍ରମାଣ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏପଟେ ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ ସାକେତ ଗୋଖଲେ ସନ୍ଦୀପ ଲାମ୍ବାଙ୍କ ବିରୋଧରେ ଥାନାରେ ଅଭିଯୋଗ ଦାଖଲ କରିଥିବା ସୂଚନା ଦେଇଛନ୍ତି। ଜୁଲାଇ ୨୦ରେ ସଂସଦ ଅଭିମୁଖେ ବିକ୍ଷୋଭ ମାର୍ଚ୍ଚ ବେଳେ ପୁଲିସ ଅନୁମତି ନ ଦେଇଥିବା ସତ୍ତ୍ୱେ ହଜାର ହଜାର ପ୍ରଦର୍ଶନକାରୀ ଜନ୍ତରମନ୍ତରରେ ଏକାଠି ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠିଚାର୍ଜ ଓ ଟିୟର ଗ୍ୟାସ୍‌ ପ୍ରୟୋଗ କରିଥିଲା। ଏହି ଘଟଣାକୁ ନେଇ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠିଥିବା ବେଳେ ତଦନ୍ତ ଦାବି ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories