ଗ୍ୟାନବାପୀରେ ଶ୍ରାବଣ ପୂଜାକୁ ସୁପ୍ରିମକୋର୍ଟଙ୍କ ନା! ଏହି ଆବେଦନ ଶୁଣିବାକୁ ସମୟ ନାହିଁ’-ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଗ୍ୟାନବାପୀ ମସଜିଦ ପରିସରର ସିଲ୍ ହୋଇଥିବା ୱୁଜୁଖାନା ଅଞ୍ଚଳରେ ଥିବା କଥିତ ଶିବଲିଙ୍ଗରେ ଶ୍ରାବଣ ମାସରେ ସ୍ୱତନ୍ତ୍ର ପୂଜା କରିବାକୁ ଅନୁମତି ଦେବା ଦାବିକୁ ସୁପ୍ରିମକୋର୍ଟ ଶୁକ୍ରବାର ତୁରନ୍ତ ବିଚାର କରିବାକୁ ମନା କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଛନ୍ତି, “ଧୈର୍ଯ୍ୟ ଧରନ୍ତୁ। ଆମ ସମ୍ମୁଖରେ ଅନେକ ମାମଲା ବିଚାରାଧୀନ ରହିଛି। ଏପରି ଆବେଦନ ଶୁଣିବା ପାଇଁ ଏବେ ସମୟ ନାହିଁ।”
ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କୋର୍ଟଙ୍କୁ କହିଥିଲେ ଯେ, ଶ୍ରାବଣ ମାସ ଅବସରରେ ସିଲ୍ ହୋଇଥିବା ୱୁଜୁଖାନା ଅଞ୍ଚଳରେ ବିଶେଷ ପୂଜା କରିବାକୁ ଅନୁମତି ଦିଆଯାଉ। ସେ ଏହା ମଧ୍ୟ କହିଥିଲେ ଯେ, ସୁରକ୍ଷା ବ୍ୟବସ୍ଥା ସମେତ କୋର୍ଟ ଲାଗୁ କରିବାକୁ ଚାହୁଁଥିବା ସମସ୍ତ ସର୍ତ୍ତ ପାଳନ କରିବାକୁ ହିନ୍ଦୁ ପକ୍ଷ ପ୍ରସ୍ତୁତ ଅଛି। ତେବେ ସୁପ୍ରିମକୋର୍ଟ ଏହି ଆବେଦନକୁ ତୁରନ୍ତ ବିଚାର କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ଗତ ୨୦୨୨ ମସିହାରେ କୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ସର୍ଭେ ସମୟରେ ୱୁଜୁଖାନା ଅଞ୍ଚଳରେ ମିଳିଥିବା ଏକ ସଂରଚନାକୁ ହିନ୍ଦୁ ପକ୍ଷ ଶିବଲିଙ୍ଗ ବୋଲି ଦାବି କରୁଥିବା ବେଳେ ମୁସଲିମ ପକ୍ଷ ଏହାକୁ ଖଣ୍ଡନ କରିଆସୁଛି। ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଆଦେଶ ଅନୁସାରେ ସେହି ଅଞ୍ଚଳ ସିଲ୍ ହୋଇ ରହିଛି। ଏହାପୂର୍ବରୁ ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷ ସୁପ୍ରିମକୋର୍ଟଙ୍କ ‘ସମାଧାନ ସମାରୋହ’ ମାଧ୍ୟମରେ ବିବାଦର ସମାଧାନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ବର୍ତ୍ତମାନ ମାମଲାଟି ନିୟମିତ ନ୍ୟାୟିକ ପ୍ରକ୍ରିୟା ମାଧ୍ୟମରେ ବିଚାରାଧୀନ ରହିଛି।

