ପେପର ଲିକ୍ ବିବାଦ ମଧ୍ୟରେ ବଡ଼ ଆକ୍ସନ; ବଦଳିଲେ କେନ୍ଦ୍ର ଶିକ୍ଷା ସଚିବ!
ନୂଆଦିଲ୍ଲୀ: ଦେଶବ୍ୟାପୀ ପେପର ଲିକ୍ ବିବାଦ ଏବଂ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ପ୍ରଶାସନିକ ସ୍ତରରେ ବଡ଼ ପଦକ୍ଷେପ ନେଇଛନ୍ତି। ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ସଚିବ ବିନୀତ ଯୋଶୀଙ୍କୁ ହଟାଇ ପଞ୍ଚାୟତି ରାଜ ମନ୍ତ୍ରଣାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ୧୯୯୪ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ନରେଶ ପାଲ ଗଙ୍ଗୱାରଙ୍କୁ ନୂଆ ଶିକ୍ଷା ସଚିବ ଭାବେ ନିଯୁକ୍ତ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପେପର ଲିକ୍ ଘଟଣାକୁ ନେଇ ଜବାବଦେହିତା ସ୍ଥିର କରିବା ଦିଗରେ ପ୍ରଥମ ବଡ଼ ପଦକ୍ଷେପ ବୋଲି ଦେଖାଯାଉଛି।
ବିନୀତ ଯୋଶୀ ଏହାପୂର୍ବରୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)ର ପ୍ରଥମ ଡିରେକ୍ଟର ଜେନେରାଲ୍, ସିବିଏସଇ ଅଧ୍ୟକ୍ଷ ଏବଂ ମଣିପୁରର ମୁଖ୍ୟ ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିସାରିଛନ୍ତି। ଅନ୍ୟପକ୍ଷରେ ନୂଆ ସଚିବ ନରେଶ ପାଲ ଗଙ୍ଗୱାର ପଶ୍ଚିମବଙ୍ଗ କ୍ୟାଡରର ଆଇଏଏସ୍ ଅଧିକାରୀ ହୋଇଥିବାବେଳେ ପୂର୍ବରୁ ରାଜସ୍ଥାନର ବିଭିନ୍ନ ଜିଲ୍ଲାର କଲେକ୍ଟର, ସ୍କୁଲ ଶିକ୍ଷା ବିଭାଗର ସଚିବ ଏବଂ କେନ୍ଦ୍ର ସରକାରଙ୍କ ଏକାଧିକ ମନ୍ତ୍ରଣାଳୟରେ ଦାୟିତ୍ୱ ସମ୍ଭାଳିଛନ୍ତି। ପେପର ଲିକ୍ ପ୍ରସଙ୍ଗରେ ସରକାର କଠୋର ମନୋଭାବ ଗ୍ରହଣ କରିଥିବା ବେଳେ ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ, ପେପର ଲିକ୍ ପ୍ରସଙ୍ଗରେ ଅବହେଳା ଦେଖାଇଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ହେବ।
ଏହି ପ୍ରଶାସନିକ ଅଦଳବଦଳ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେପର ଲିକ୍ ମାମଲାର ଶୀଘ୍ର ବିଚାର ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ ଏବଂ କଠୋର ଆଇନ ଆଣିବାକୁ ଘୋଷଣା କରିଥିଲେ। ସରକାର ସାର୍ବଜନିକ ପରୀକ୍ଷା (ଅନିୟମିତତା ନିବାରଣ) ଆଇନ-୨୦୨୪ରେ ସଂଶୋଧନ କରି ଦୋଷୀଙ୍କ ପାଇଁ ଜେଲ ଦଣ୍ଡ ଓ ଜରିମାନା ବୃଦ୍ଧି କରିବା ସହ ଶୀଘ୍ର ବିଚାର ବ୍ୟବସ୍ଥା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏପଟେ ପେପର ଲିକ୍ ଘଟଣାକୁ ନେଇ କକ୍ରୋଚ ଜନତା ପାର୍ଟି (CJP) ସହ ବିଭିନ୍ନ ସଂଗଠନଙ୍କ ଆନ୍ଦୋଳନ ଜାରି ରହିଥିବାବେଳେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଜାରି ରହିଛି ।

