NEET ପେପର୍ ଲିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ! ବିସ୍ତୃତ ଯୋଜନା ଦାଖଲ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ:NEET-UG ପେପର୍ ଲିକ୍ ବିବାଦକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ କଡ଼ା ତାଗିଦ କରିଛନ୍ତି। ବିଚାରପତି ପି.ଏସ୍. ନରସିମ୍ହା ଏବଂ ଆଲୋକ ଆରାଧେଙ୍କ ଖଣ୍ଡପୀଠ କହିଛନ୍ତି, ପରୀକ୍ଷା ବ୍ୟବସ୍ଥାରେ ବାରମ୍ବାର ହେଉଥିବା ତ୍ରୁଟିକୁ ଆଉ ସହ୍ୟ କରାଯିବ ନାହିଁ। ପରୀକ୍ଷାକୁ ସମ୍ପୂର୍ଣ୍ଣ କମ୍ପ୍ୟୁଟର ଆଧାରିତ (CBT) କରିବା ପାଇଁ ସରକାର କେଉଁ ପଦକ୍ଷେପ ନେଉଛନ୍ତି ଏବଂ ଛାତ୍ରଛାତ୍ରୀଙ୍କ ତଥ୍ୟର ସୁରକ୍ଷା କିପରି ନିଶ୍ଚିତ କରାଯିବ, ସେନେଇ ବିସ୍ତୃତ ଯୋଜନା ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩ ତାରିଖରେ ହେବ।
ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେତା କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ସମସ୍ତ ସମ୍ଭବ ପଦକ୍ଷେପ ନେଉଛନ୍ତି ଏବଂ ଖୁବ୍ ଶୀଘ୍ର ଏକ ସାମଗ୍ରିକ ରିପୋର୍ଟ କୋର୍ଟରେ ଦାଖଲ କରାଯିବ। ଏହାର ଜବାବରେ ସୁପ୍ରିମକୋର୍ଟ କହିଥିଲେ, “ଏଭଳି ପରିସ୍ଥିତି ଆଉ ଚାଲିପାରିବ ନାହିଁ। ଆମେ ଏହି ମାମଲା ଉପରେ ନିକଟରୁ ନଜର ରଖିବୁ ଏବଂ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ସୁନିଶ୍ଚିତ କରିବୁ।”
ଏହି ମଧ୍ୟରେ NEET ପେପର୍ ଲିକ୍କୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଜାରି ରହିଛି। କକ୍ରୋଚ ଜନତା ପାର୍ଟି (CJP) ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଥିବାବେଳେ ପରିବେଶବିତ୍ ସୋନମ ୱାଙ୍ଗଚୁକ ମଧ୍ୟ ଏହି ପ୍ରସଙ୍ଗରେ ଅନଶନ କରିଥିଲେ। ସେପଟେ ସରକାର ପବ୍ଲିକ୍ ଏଗ୍ଜାମିନେସନ୍ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର ମିନ୍ସ) ଆଇନ, ୨୦୨୪ରେ ସଂଶୋଧନ ଆଣିବା ପ୍ରସ୍ତୁତିରେ ଥିବା ସୂଚନା ମିଳିଛି। ଏଥିରେ ପେପର୍ ଲିକ୍ ମାମଲାର ଶୀଘ୍ର ବିଚାର ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ, ଅଧିକ କଠୋର ଜେଲ୍ ଦଣ୍ଡ ଏବଂ ବର୍ଦ୍ଧିତ ଜରିମାନାର ବ୍ୟବସ୍ଥା ମଧ୍ୟ ସାମିଲ ହୋଇପାରେ।

