୧୫ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିଲା ରୋକ; ଫ୍ରାନ୍ସ ସରକାରଙ୍କ ବଡ ପଦକ୍ଷେପ
ପ୍ୟାରିସ: ପିଲାମାନଙ୍କ ଅନଲାଇନ ସୁରକ୍ଷାକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସଂସଦ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ସଂସଦରେ ପାରିତ ହୋଇଥିବା ବିଲ୍ ଅନୁଯାୟୀ, ୧୫ ବର୍ଷରୁ କମ ବୟସର ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ। ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହାକୁ ସ୍ୱାଗତ କରି କହିଛନ୍ତି ଯେ, ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଏହି ନିୟମ ଲାଗୁ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ପିଲାମାନଙ୍କୁ ଅନଲାଇନ ବିପଦରୁ ସୁରକ୍ଷିତ ରଖିବା ସରକାରଙ୍କ ପ୍ରାଥମିକତା।
ଏହି ବିଲ୍ କାର୍ଯ୍ୟକାରୀ ହେବା ପୂର୍ବରୁ ଏହାକୁ ଫ୍ରାନ୍ସର ସାମ୍ବିଧାନିକ ପରିଷଦର ଅନୁମୋଦନ ମିଳିବା ବାକି ରହିଛି। ଏହି ନିୟମ ଲାଗୁ ହେଲେ, ସୋସିଆଲ ମିଡିଆ ବ୍ୟବହାର ପାଇଁ ୧୫ ବର୍ଷ ବୟସ ସୀମା ନିର୍ଦ୍ଧାରଣ କରିଥିବା ବିଶ୍ୱର ପ୍ରଥମ ଦେଶ ହେବ ଫ୍ରାନ୍ସ। ସରକାରଙ୍କ ମତରେ, ଅତ୍ୟଧିକ ସୋସିଆଲ ମିଡିଆ ବ୍ୟବହାର ପିଲାମାନଙ୍କ ପଢ଼ାଶୁଣା, ନିଦ୍ରା, ଖେଳକୁଦ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି। ସେଥିପାଇଁ ବୟସ ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯିବ।
କେବଳ ଫ୍ରାନ୍ସ ନୁହେଁ, ଅନ୍ୟ ଦେଶମାନେ ମଧ୍ୟ ଏଭଳି ପଦକ୍ଷେପ ନେଉଛନ୍ତି। ବ୍ରିଟେନ ୧୬ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ସୀମିତ କରିବାକୁ ଯୋଜନା ଘୋଷଣା କରିଥିବାବେଳେ, ଅଷ୍ଟ୍ରେଲିଆ ପୂର୍ବରୁ ଏଭଳି ନିଷେଧାଦେଶ ଲାଗୁ କରିସାରିଛି। ସେହିପରି ଜାପାନ ସରକାରୀ ପ୍ୟାନେଲ ବୟସ ଯାଞ୍ଚ ବ୍ୟବସ୍ଥାକୁ କଡ଼ା କରିବା ଏବଂ ସୋସିଆଲ ମିଡିଆ କମ୍ପାନିମାନଙ୍କ ଦାୟିତ୍ୱ ବଢ଼ାଇବାକୁ ସୁପାରିସ କରିଛି। ସ୍ପେନ ଓ ଡେନମାର୍କ ଭଳି ଦେଶ ମଧ୍ୟ ସମାନ ନିୟମ ଆଣିବା ଉପରେ ବିଚାର କରୁଛନ୍ତି।

