ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଗ୍ୟ ପରୀକ୍ଷା! ଛାଡ଼ିବେକି ଆସନ? ସେପଟେ ନିଜ ଦାବିରେ ଅଟଳ ରହିଛି CJP
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛି କକ୍ରୋଚ୍ ଜନତା ପାର୍ଟି (ସିଜେପି)। ଏହାରି ମଧ୍ୟରେ ଆଜି ମଧ୍ୟାହ୍ନରେ ସରକାର ଓ ସିଜେପି ମଧ୍ୟରେ ତୃତୀୟ ରାଉଣ୍ଡ ଆଲୋଚନା ହେବାକୁ ଥିବାବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଆସନ ଛାଡିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ମଧ୍ୟ ସିଜେପି ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ରହିଥିଲା। ତେବେ ସରକାର ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଆଜି ପର୍ଯ୍ୟନ୍ତ ସମୟ ନେଇଥିବା ଜଣାପଡ଼ିଛି।
ଶୁକ୍ରବାରର ଆଲୋଚନାରେ ସିଜେପିର ତିନୋଟି ପ୍ରମୁଖ ଦାବି ମଧ୍ୟରୁ ଦୁଇଟି ଉପରେ ସରକାର ସକାରାତ୍ମକ ମନୋଭାବ ଦେଖାଇଥିବା ସୂଚନା ମିଳିଛି। ନିଟ୍ ପ୍ରଶ୍ନପତ୍ର ଲିକ୍ ପେପର ମାମଲାରେ ପ୍ରାଣ ହରାଇଥିବା ଶିକ୍ଷାର୍ଥୀଙ୍କ ପରିବାରକୁ କ୍ଷତିପୂରଣ ଏବଂ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ସମ୍ପର୍କିତ ପ୍ରସ୍ତାବ ଉପରେ ସରକାର ସହମତି ପ୍ରକାଶ କରିଥିବା କୁହାଯାଉଛି। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇନାହିଁ। ସିଜେପି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଇସ୍ତଫା ନ ହେଲେ ଆନ୍ଦୋଳନ ଆଗକୁ ଜାରି ରହିବ।
ଏପଟେ ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ କେନ୍ଦ୍ର ସରକାର ଏକାଧିକ କଠୋର ପଦକ୍ଷେପ ନେଇଛନ୍ତି। ସଂଗଠିତ ପ୍ରଶ୍ନପତ୍ର ଲିକ୍ ଚକ୍ର ସହ ଜଡିତ ଅଭିଯୁକ୍ତଙ୍କ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ପ୍ରସ୍ତାବକୁ କେନ୍ଦ୍ରୀୟ କ୍ୟାବିନେଟ୍ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପେପର୍ ଲିକ୍ ମାମଲାର ଶୀଘ୍ର ବିଚାର ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ ଘୋଷଣା କରିଛନ୍ତି। ଏହାସହ ଉଚ୍ଚ ଶିକ୍ଷା ଭିଭଗର ସଚିବଙ୍କୁ ବଦଳି କରିବା ସହ NTAର ୪୭ ଜଣ ଅଧିକାରୀଙ୍କୁ ବରଖାସ୍ତ ମଧ୍ୟ କରାଯାଇଛି | ଅନ୍ୟପଟେ ସମ୍ଭାବ୍ୟ ବିକ୍ଷୋଭକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୧୮ଟି ମେଟ୍ରୋ ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ଅସ୍ଥାୟୀ କଟକଣା ଜାରି ରହିଥିବାବେଳେ ପୁଲିସ୍ ସତର୍କତାକୁ ବଢ଼ାଇ ଦିଆଯାଇଛି।

