Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଉତ୍ତର କୋରିଆରେ ଥିବା ଭଳି ଲାଗୁଥିଲା’; ହସ୍ପିଟାଲରେ ରହିବା ଅନୁଭବ ବଖାଣିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି ଅନଶନରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ହସ୍ପିଟାଲରେ ତାଙ୍କ ସହ ହୋଇଥିବା ବ୍ୟବହାରକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଦିଲ୍ଲୀର ସରକାରୀ ସଫଦରଜଙ୍ଗ ହସ୍ପିଟାଲକୁ ନେବା ପରେ ତାଙ୍କୁ ଜଣେ ବନ୍ଦୀଙ୍କ ଭଳି ରଖାଯାଇଥିଲା। ନିଜ ୟୁଟ୍ୟୁବ୍ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ହସ୍ପିଟାଲ ପରିବେଶ ତାଙ୍କୁ “ଉତ୍ତର କୋରିଆ” ଭଳି ଅନୁଭବ କରାଇଥିଲା।

ୱାଙ୍ଗଚୁକ କହିଛନ୍ତି, ତାଙ୍କୁ କୋଠରୀରୁ ବାହାରକୁ ଯିବାକୁ ଦିଆଯାଉନଥିଲା ଏବଂ କାହାକୁ ସାକ୍ଷାତ କରିବାକୁ ମଧ୍ୟ ଅନୁମତି ମିଳୁନଥିଲା। କେବଳ ତିନିଜଣ ପରିବାର ସଦସ୍ୟଙ୍କୁ ସେଠାରେ ରହିବାକୁ ଅନୁମତି ମିଳିଥିଲା। ମୋବାଇଲ୍ ଫୋନ୍ ଓ ଲାପଟପ୍ ବ୍ୟବହାର ଉପରେ ମଧ୍ୟ କଟକଣା ଲାଗିଥିବା ସେ ଅଭିଯୋଗ କରିଛନ୍ତି। ସମର୍ଥକମାନଙ୍କ ପାଇଁ କାଗଜ ନାପକିନ୍‌ରେ ଲେଖୁଥିବା ସନ୍ଦେଶକୁ ମଧ୍ୟ ବେଳେବେଳେ ଜବତ କରାଯାଉଥିଲା ବୋଲି ସେ କହିଛନ୍ତି। ପରେ ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି ପରେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ମଧ୍ୟ ସେଠାରେ ମଧ୍ୟ କଡ଼ା ସୁରକ୍ଷା ଓ ନଜରଦାରି ଜାରି ରହିଥିବା ଅଭିଯୋଗ କରିଛନ୍ତି।

ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ମଧ୍ୟ ସୋସିଆଲ ମିଡିଆରେ ହସ୍ପିଟାଲ ପରିସରରେ ବ୍ୟାପକ ପୁଲିସ ମୁତୟନ ଥିବା ଅଭିଯୋଗ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି, ଯଦି ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ୱାଙ୍ଗଚୁକ ହେପାଜତରେ ନାହାନ୍ତି, ତେବେ କେଉଁ ଆଧାରରେ ତାଙ୍କ ସହ ସାକ୍ଷାତ ଉପରେ କଟକଣା ଲଗାଯାଉଛି? ଉଲ୍ଲେଖଯୋଗ୍ୟ, ସିଜେପିର ଆନ୍ଦୋଳନକୁ ସମର୍ଥନ କରି ସୋନମ ୱାଙ୍ଗଚୁକ ଜୁନ୍ ୨୮ରୁ ଅନଶନରେ ବସିଥିଲେ। କେନ୍ଦ୍ର ସରକାରଙ୍କ ଲିଖିତ ଆଶ୍ୱାସନ ପରେ ସେ ଗୁରୁବାର ମଧ୍ୟରାତ୍ରରେ ନିଜର ୨୬ ଦିନିଆ ଅନଶନ ଭଙ୍ଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories