ଟାଇଫଏଡ୍ରେ ଆକ୍ରାନ୍ତ CJP ସଂସ୍ଥାପକ ଅଭିଜିତ ଦୀପକ; କହିଲେ– ‘ଜାରି ରହିବ ଆନ୍ଦୋଳନ’
ନୂଆଦିଲ୍ଲୀ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତାକୁ ନେଇ ଚାଲିଥିବା ସିଜେପି (CJP)ର ଆନ୍ଦୋଳନ ମଧ୍ୟରେ ଦଳର ସଂସ୍ଥାପକ ଅଭିଜିତ ଦୀପକ ଟାଇଫଏଡ୍ରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଜାରି ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ, କିଛି ଦିନ ଧରି ସେ ଅସୁସ୍ଥ ଥିଲେ ଏବଂ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଟାଇଫଏଡ୍ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ଚିକିତ୍ସାଧୀନ ଥିବା ସହ ପ୍ରତିଦିନ ଇଣ୍ଟ୍ରାଭେନସ୍ (IV) ଚିକିତ୍ସା ନେଉଛନ୍ତି।
ଅସୁସ୍ଥତା ସତ୍ତ୍ୱେ ଅଭିଜିତ ଦିପକେ ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଥିବା ସମର୍ଥକମାନଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ, ସେମାନଙ୍କର ଏକତା ଓ ସଂଘର୍ଷ ଆନ୍ଦୋଳନକୁ ସଫଳତା ଆଡ଼କୁ ନେଉଛି। ଆଗାମୀ ଦିନରେ ମଧ୍ୟ ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଲେ ଲକ୍ଷ୍ୟ ପୂରଣ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ସିଜେପି ପକ୍ଷରୁ ପ୍ରତିଯୋଗିତାମୂଳକ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର, ନିଯୁକ୍ତି ଓ ପ୍ରବେଶିକା ପରୀକ୍ଷାରେ ସ୍ୱଚ୍ଛତା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି ରହିଛି । ସମ୍ପ୍ରତି ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ କେନ୍ଦ୍ର ସରକାରଙ୍କ ଲିଖିତ ଆଶ୍ୱାସନ ପରେ ନିଜର ଅନଶନ ଶେଷ କରିଥିଲେ। ତଥାପି ସିଜେପି ସ୍ପଷ୍ଟ କରିଛି ଯେ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଯନ୍ତରମନ୍ତରରେ ଆନ୍ଦୋଳନ ଜାରି ରହିବ।

