Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପେପର ଲିକ୍‌କୁ ରୋକିବାକୁ NTAର ବଡ଼ ପଦକ୍ଷେପ, ନିଯୁକ୍ତ ହେବେ ଚାରି ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ: ପରୀକ୍ଷା ପ୍ରଣାଳୀକୁ ଅଧିକ ସୁରକ୍ଷିତ, ସ୍ୱଚ୍ଛ ଓ ବିଶ୍ୱସନୀୟ କରିବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ବଡ଼ ଧରଣର ପ୍ରଶାସନିକ ସଂସ୍କାର ଆଣିବାକୁ ଯାଉଛି। ପେପର ଲିକ୍, ସାଇବର ଆକ୍ରମଣ, ଡିଜିଟାଲ୍ ତ୍ରୁଟି ଓ ପରୀକ୍ଷା ସମ୍ପର୍କିତ ଅନିୟମିତତାକୁ ରୋକିବା ପାଇଁ ଏନଟିଏରେ ପ୍ରଥମ ଥର ପାଇଁ ଚାରିଟି ଗୁରୁତ୍ୱପୂର୍ଣ୍ଣ ବରିଷ୍ଠ ପଦବୀ ସୃଷ୍ଟି କରାଯାଉଛି। ଏହା ସହିତ ପରୀକ୍ଷା ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ସୁଦୃଢ଼ କରିବାକୁ ଯୁବ ଫ୍ରଫେସନାଲଙ୍କୁ ମଧ୍ୟ ନିଯୁକ୍ତ କରାଯିବ।

ଏହି ସଂସ୍କାରର ଅଂଶ ଭାବେ ପ୍ରଥମ ଥର ପାଇଁ ଚିଫ୍ ଇନଫର୍ମେସନ୍ ସିକ୍ୟୁରିଟି ଅଫିସର (CISO) ନିଯୁକ୍ତ ହେବେ। ସେ ଏନଟିଏର ସମସ୍ତ ସର୍ଭର, ନେଟୱର୍କ, ଆପ୍ଲିକେସନ୍ ଓ ଡାଟାର ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ। ଏହା ସହ ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ ଆକ୍ଟ, ଆଇଟି ଆକ୍ଟ ଓ CERT-In ନିୟମାବଳୀର ପାଳନ ଏବଂ ୨୪ ଘଣ୍ଟିଆ ସିକ୍ୟୁରିଟି ଅପରେସନ୍ସ ସେଣ୍ଟର (SOC)ର ତଦାରଖ ମଧ୍ୟ ତାଙ୍କ ଅଧୀନରେ ରହିବ। ସେହିପରି ଜେନେରାଲ୍ ମ୍ୟାନେଜର (Assessment Research & Development and Psychometrics) ପ୍ରଶ୍ନପତ୍ର ପ୍ରସ୍ତୁତି, ପ୍ରଶ୍ନ ବ୍ୟାଙ୍କ, ନର୍ମାଲାଇଜେସନ୍, କଠିନତା ସ୍ତରର ସମନ୍ୱୟ ଏବଂ ଭବିଷ୍ୟତରେ AI ଆଧାରିତ ମୂଲ୍ୟାଙ୍କନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଭଳି ଦାୟିତ୍ୱ ନିର୍ବାହ କରିବେ।

ଅନ୍ୟପକ୍ଷରେ ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ଉପରେ କଡ଼ା ନଜର ରଖିବା ପାଇଁ ଜେନେରାଲ୍ ମ୍ୟାନେଜର (Vigilance, Investigation & Forensics) ପଦ ସୃଷ୍ଟି କରାଯାଇଛି। ଏହି ଅଧିକାରୀ ସିବିଆଇ, ଇଡି, ଆଇବି, ରାଜ୍ୟ ପୁଲିସ ଓ ସାଇବର କ୍ରାଇମ୍ ୟୁନିଟ୍ ସହ ସମନ୍ୱୟ ରକ୍ଷା କରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବେ। ଏହା ସହିତ ୟୁପିଏସ୍‌ସିର ‘ପ୍ରତିଭା ସେତୁ’ ପୋର୍ଟାଲ୍ ମାଧ୍ୟମରେ ୧୬ ଜଣ ଯୁବ ଫ୍ରଫେସନାଲଙ୍କୁ ନିଯୁକ୍ତ କରିବାକୁ ଏନଟିଏ ନିଷ୍ପତ୍ତି ନେଇଛି। ସେମାନଙ୍କ ମଧ୍ୟରୁ ୧୨ ଜଣ ଏକାଡେମିକ୍ ଗବେଷଣା, ୨ ଜଣ ଆଇନ ବିଭାଗ ଏବଂ ୨ ଜଣ ଫାଇନାନ୍ସ ଓ ଆକାଉଣ୍ଟ୍ସ ବିଭାଗରେ କାର୍ଯ୍ୟ କରିବେ। ପ୍ରାରମ୍ଭିକ ଭାବେ ୨୪ ମାସ ପାଇଁ ନିଯୁକ୍ତି ହେବ ଏବଂ କାର୍ଯ୍ୟଦକ୍ଷତା ଆଧାରରେ ଏହାକୁ ୩୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories