Gen Zଙ୍କ ଅସନ୍ତୋଷ ଓ ନିର୍ବାଚନୀ ଗଣିତ ଆଗରେ ନଇଁଲା BJP! ଧର୍ମେନ୍ଦ୍ରଙ୍କ ଇସ୍ତଫା ପଛରେ କଣ ଥିଲା କାରଣ?
NEET ପ୍ରଶ୍ନପତ୍ର ଲିକ୍କୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଛାତ୍ର ଆନ୍ଦୋଳନ ଶେଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ ପରିଣତ ହୋଇଛି। ସୂତ୍ରମାନଙ୍କ କହିବା ଅନୁଯାୟୀ, ସରକାର ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ଅଚଳାବସ୍ଥାରେ ପହଞ୍ଚିବା ପରେ ଧର୍ମେନ୍ଦ୍ର ପ୍ରଧାନ ‘ନୈତିକ ଦାୟିତ୍ୱ’ ନେଇ ପଦ ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଆନ୍ଦୋଳନ ଓ ଏହାର ରାଜନୈତିକ ପ୍ରଭାବକୁ ନେଇ ସରକାରୀ ସ୍ତରରେ ଗଭୀର ଚର୍ଚ୍ଚା ହୋଇଥିବା ମଧ୍ୟ କୁହାଯାଉଛି।
ରାଜନୈତିକ ମହଲରେ ଏବେ ଚର୍ଚ୍ଚା ହେଉଛି ଯେ, ସବୁଠାରୁ ବଡ଼ ଚିନ୍ତା ଥିଲା Gen Z ଭୋଟରଙ୍କ ଅସନ୍ତୋଷ। ଯୁବପିଢ଼ି ଜାତି, ଧର୍ମ କିମ୍ବା ଅଞ୍ଚଳ ଭିତ୍ତିକ ବିଭାଜନଠାରୁ ଅଧିକ ଶିକ୍ଷା, ଚାକିରି ଓ ଭବିଷ୍ୟତ ସମ୍ବନ୍ଧୀୟ ପ୍ରସଙ୍ଗକୁ ଗୁରୁତ୍ୱ ଦେଉଥିବାରୁ ଏହି ଆନ୍ଦୋଳନ ଦୀର୍ଘସ୍ଥାୟୀ ହେଲେ ଏହାର ନିର୍ବାଚନୀ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଥିଲା। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କେନ୍ଦ୍ରମନ୍ତ୍ରୀମାନଙ୍କୁ Instagram Reels ଓ ଡିଜିଟାଲ୍ ମାଧ୍ୟମରେ ଯୁବପିଢ଼ିଙ୍କ ସହ ଅଧିକ ସକ୍ରିୟ ଭାବେ ଯୋଡ଼ି ହେବାକୁ ପରାମର୍ଶ ଦେଇଥିଲେ।
BJPର କିଛି ନେତାଙ୍କ ମତ ହେଉଛି, ସରକାର ପୂର୍ବରୁ ପୁନଃ ପରୀକ୍ଷା, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ କଠୋର ଆଇନ ଭଳି ପଦକ୍ଷେପ ନେଇଥିଲେ। ସେମାନଙ୍କ ଅଭିଯୋଗ ଯେ, ଛାତ୍ର ଆନ୍ଦୋଳନକୁ କିଛି ସ୍ୱାର୍ଥାନ୍ୱେଷୀ ଗୋଷ୍ଠୀ ଓ ବିରୋଧୀ ଦଳ ରାଜନୈତିକ ରୂପ ଦେବାକୁ ଚେଷ୍ଟା କରିଥିଲେ। ତେବେ Gen Zଙ୍କ ଅସନ୍ତୋଷ ଓ ଆଗାମୀ ନିର୍ବାଚନର ସମ୍ଭାବ୍ୟ ପ୍ରଭାବ ଇସ୍ତଫା ନିଷ୍ପତ୍ତିରେ କେତେ ଭୂମିକା ନେଇଥିଲା, ସେନେଇ କେନ୍ଦ୍ର ସରକାର ପକ୍ଷରୁ କୌଣସି ଔପଚାରିକ ବୟାନ ଜାରି କରାଯାଇନାହିଁ।

