Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସମୟରେ ଲାଠିଚାର୍ଜ କରିହେବ ନାହିଁ: ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ

ନୂଆଦିଲ୍ଲୀ: ଛାତ୍ର ଆନ୍ଦୋଳନକୁ ନେଇ ଦାଖଲ ହୋଇଥିବା ଏକାଧିକ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। କୋର୍ଟ କହିଛନ୍ତି ଯେ, ସମ୍ବିଧାନ ଅନୁଯାୟୀ ଶାନ୍ତିପୂର୍ଣ୍ଣ ଓ ଆଇନସମ୍ମତ ପ୍ରତିବାଦ କରିବାର ଅଧିକାର ପ୍ରତ୍ୟେକ ନାଗରିକଙ୍କର ରହିଛି। କେବଳ ଆନ୍ଦୋଳନ ହେଉଛି ବୋଲି କୌଣସି ପରିସ୍ଥିତିରେ ଲାଠିଚାର୍ଜ କରାଯାଇପାରିବ ନାହିଁ। ଯେପର୍ଯ୍ୟନ୍ତ ପ୍ରତିବାଦ ଶାନ୍ତିପୂର୍ଣ୍ଣ ରହିଛି, ସେପର୍ଯ୍ୟନ୍ତ ବଳପ୍ରୟୋଗ ଗ୍ରହଣଯୋଗ୍ୟ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।

ଜୁଲାଇ ୨୦ରେ ‘ସଂସଦ ଚଲୋ’ ରାଲି ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ ଓ ଟିୟର ଗ୍ୟାସ ବ୍ୟବହାର ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ହୋଇଥିବା ଆବେଦନ ଉପରେ କୋର୍ଟ ଶୁଣାଣି କରୁଥିଲେ। ଏହାସହିତ ନିଟ୍ ପ୍ରଶ୍ନପତ୍ର ଲିକ୍‌ ପ୍ରତିବାଦ ବେଳେ ପୋଲିସ କର୍ମଚାରୀମାନେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ସମ୍ପର୍କିତ ପୃଥକ ଆବେଦନର ଶୁଣାଣି ପାଇଁ ମଧ୍ୟ କୋର୍ଟ ସମ୍ମତି ପ୍ରକାଶ କରିଛନ୍ତି। ପୋଲିସ ଉପରେ ହୋଇଥିବା ଅତ୍ୟାଚାରର ମଧ୍ୟ ତଦନ୍ତ ହେବା ଉଚିତ ବୋଲି କୋର୍ଟ କହିଛନ୍ତି। ଆହତ ପୋଲିସ କର୍ମଚାରୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ସାମଗ୍ରୀ କାହିଁକି ଯୋଗାଇ ଦିଆଯାଇନଥିଲା, ସେନେଇ ସରକାରଙ୍କୁ ମଧ୍ୟ ସ୍ପଷ୍ଟୀକରଣ ମାଗିଛନ୍ତି।

ଏହି ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ଜୋର ଧରିଥିବାବେଳେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଛାତ୍ରମାନଙ୍କୁ ସମର୍ଥନ କରିଥିଲେ। ଲୋକସଭାରେ ବିରୋଧୀ ସଦସ୍ୟମାନେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ସଦନର କାର୍ଯ୍ୟକଳାପକୁ ବାଧା ଦେଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ପ୍ରତିବାଦକାରୀଙ୍କ ଉପରେ ପୋଲିସ ବଳପ୍ରୟୋଗ ଓ ପେଲେଟ୍ ଗନ୍ ବ୍ୟବହାର ହୋଇଥିବା ଅଭିଯୋଗ କରିଥିଲେ। ତେବେ ଦିଲ୍ଲୀ ପୋଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, ପୋଲିସ ବଳପ୍ରୟୋଗ ହେଉ କି ପୋଲିସ ଉପରେ ଆକ୍ରମଣ—ଉଭୟ ଘଟଣାର ନିରପେକ୍ଷ ତଦନ୍ତ ଆବଶ୍ୟକ ଏବଂ ଭବିଷ୍ୟତ ପାଇଁ ଦେଶବ୍ୟାପୀ ସମାନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ବିଷୟରେ ମଧ୍ୟ କୋର୍ଟ ବିଚାର କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories