ରାସ୍ତା ନ ଛାଡ଼ିବାରୁ ତିନି ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ; ବ୍ରାସ୍ ନକଲ୍ସରେ ପିଟିଲେ, ୩ ଗିରଫ
କେରଳ: କେରଳର କାକ୍କନାଡ଼ରେ ଏକ ରୋଡ୍ ରେଜ୍ ଘଟଣାରେ ତିନି ଯୁବକଙ୍କ ଉପରେ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଛି। ରାସ୍ତା ନ ଛାଡ଼ିବାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବାବେଳେ, ଆକ୍ରମଣକାରୀମାନେ ବ୍ରାସ୍ ନକଲ୍ସ ବ୍ୟବହାର କରି ଯୁବକମାନଙ୍କୁ ନିର୍ମମ ଭାବେ ପିଟିଥିଲେ। ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, ଭାଜାକ୍କାଲା ଅଞ୍ଚଳର ମହମ୍ମଦ ଶଫି, ପ୍ରବୀଣ କୁମାର ଓ ନିସାମ ବାଇକ୍ରେ ଯାଉଥିବାବେଳେ ସେମାନେ ଅଭିଯୁକ୍ତଙ୍କ କାରକୁ ରାସ୍ତା ଛାଡ଼ିନଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହାପରେ କାରରେ ଥିବା ତିନି ଜଣ ଅଭିଯୁକ୍ତ ବ୍ରାସ୍ ନକଲ୍ସରେ ତିନି ଯୁବକଙ୍କ ମୁହଁକୁ ବାରମ୍ବାର ଆଘାତ କରିବା ସହ ଲାତ ଓ ମୁଥ ମାରି ଗୁରୁତର ଭାବେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଶଫି ଆହତ ହୋଇଥିବା ବେଳେ ତଳ ପାଟିର ୪ଟି ଦାନ୍ତ ଢିଲା ହୋଇଯାଇଛି ଏବଂ କପାଳରେ ଆଘାତ ଲାଗିଛି। ପ୍ରବୀଣ କୁମାରଙ୍କ ଖପୁରୀରେ ଫ୍ରାକ୍ଚର ଓ ଭିତରୁ ରକ୍ତସ୍ରାବ ହୋଇଥିବାବେଳେ ନିସାମଙ୍କ ନାକ ଓ ଠୋଠରେ ଗୁରୁତର ଆଘାତ ଲାଗିଛି।
ଘଟଣା ପରେ ପୋଲିସ କୋଝିକୋଡ଼ରୁ ତିନି ଅଭିଯୁକ୍ତ ଶେଫିନ, ଫାହାଦ ଓ ବେନିଙ୍କୁ ଗିରଫ କରିଛି। ପ୍ରାଥମିକ ତଦନ୍ତରେ ସେମାନେ ଆଲୁଭା ଓ ପେରୁମ୍ବାଭୁର ଅଞ୍ଚଳରେ ସକ୍ରିୟ ଥିବା ଏକ ଅପରାଧୀ ଗ୍ୟାଙ୍ଗ ସହ ଜଡିତ ଥିବା ସନ୍ଦେହ କରାଯାଉଛି। ଥ୍ରିକ୍କାକାରା ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରାରେ, ହତ୍ୟା ଉଦ୍ୟମ ମାମଲା ସହ, ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

