E20 ବିବାଦ: ଡିପ୍ଫେକ୍ ଭିଡିଓ ଓ ଭ୍ରାନ୍ତିକର ପୋଷ୍ଟ ବିରୋଧରେ ଆଇନଗତ ଲଢ଼େଇ କରିବେ ନୀତିନ ଗଡକରୀ
ନୂଆଦିଲ୍ଲୀ: E20 ପେଟ୍ରୋଲ୍ ନୀତିକୁ ନେଇ ସୋସିଆଲ୍ ମିଡିଆରେ ପ୍ରଚାର ହେଉଥିବା ଡିପ୍ଫେକ୍ ଭିଡିଓ ଏବଂ ଭ୍ରାନ୍ତିକର ପୋଷ୍ଟକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ପ୍ରଚାର ତାଙ୍କ ଓ ତାଙ୍କ ପରିବାରକୁ E20 ଯୋଜନାରୁ ଲାଭ ମିଳୁଥିବା ଭଳି ଭୁଲ ଦାବି କରୁଥିବାରୁ ସେ Meta (Facebook, Instagram), X, Google ସମେତ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କ ବିରୋଧରେ ସିଭିଲ୍ ମାମଲା ଦାଖଲ କରିବା ପାଇଁ ବମ୍ବେ ହାଇକୋର୍ଟର ଅନୁମତି ପାଇଛନ୍ତି। ଏହି ମାମଲାରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (MeitY) ଏବଂ ଦୂରସଞ୍ଚାର ବିଭାଗ (DoT)ଙ୍କୁ ମଧ୍ୟ ପ୍ରତିପକ୍ଷ କରାଯାଇଛି।
ଗଡକରୀ ତାଙ୍କ ଆବେଦନରେ କହିଛନ୍ତି ଯେ, ସୋସିଆଲ୍ ମିଡିଆରେ ପ୍ରଚାରିତ AI-ନିର୍ମିତ ଡିପ୍ଫେକ୍ ଭିଡିଓ, ସମ୍ପାଦିତ କ୍ଲିପ୍ ଏବଂ ପୋଷ୍ଟଗୁଡ଼ିକ ତାଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ଏବଂ ଲୋକଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ସେ ସ୍ପଷ୍ଟ କରିଛନ୍ତି ଯେ, ଇଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (EBP) ଏବଂ E20 କାର୍ଯ୍ୟକ୍ରମ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ରହିଛି, ଏହାର ନୀତି ପ୍ରସ୍ତୁତି, କାର୍ଯ୍ୟକାରୀ କିମ୍ବା ପ୍ରଶାସନ ସହ ତାଙ୍କ ମନ୍ତ୍ରଣାଳୟର କୌଣସି ସମ୍ପର୍କ ନାହିଁ। ତେଣୁ ତାଙ୍କୁ ଏହି ଯୋଜନା ସହ ଯୋଡ଼ି ଲାଭ ଉଠାଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି।
ଆବେଦନରେ ଗଡକରୀ ସୋସିଆଲ୍ ମିଡିଆରୁ ସମସ୍ତ ଡିପ୍ଫେକ୍ ଭିଡିଓ, ସମ୍ପାଦିତ ଭିଡିଓ ଏବଂ ମାନହାନିକର ପୋଷ୍ଟକୁ ତୁରନ୍ତ ହଟାଇବା ସହ ଏହା ପ୍ରସ୍ତୁତ ଓ ପ୍ରଚାର କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏପରି ସାମଗ୍ରୀର ପରବର୍ତ୍ତୀ ପ୍ରଚାର ଉପରେ ମଧ୍ୟ ରୋକ ଲଗାଇବାକୁ ସେ ଅଦାଲତଙ୍କୁ ଅନୁରୋଧ କରିଛନ୍ତି। ବମ୍ବେ ହାଇକୋର୍ଟ ଗଡକରୀଙ୍କୁ ସିଭିଲ୍ ମାମଲା ଦାଖଲ କରିବାକୁ ଅନୁମତି ଦେଇଥିବାବେଳେ ଅନ୍ତରୀଣ ରିଲିଫ୍ ସମ୍ପର୍କିତ ଆବେଦନ ଉପରେ ପରବର୍ତ୍ତୀ ପର୍ଯ୍ୟାୟରେ ଶୁଣାଣି କରାଯିବ।

