ଦୁବାଇ – ମୁମ୍ବାଇ ଇଣ୍ଡିଗୋ ବିମାନରେ ଧୂଆଁ! ରାଜକୋଟ ଏଟିସିକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ ଅନୁମତି ମାଗିଲେ ପାଇଲଟ
ନୂଆଦିଲ୍ଲୀ: ଦୁବାଇରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଏକ ଇଣ୍ଡିଗୋ ବିମାନରେ ଧୂଆଁ ଦେଖାଯିବା ପରେ ସୋମବାର ଗୁଜରାଟର ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ପାଇଲଟ୍ ବିମାନରେ ଧୂଆଁ ଦେଖିବା ପରେ ତୁରନ୍ତ ରାଜକୋଟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସହ ଯୋଗାଯୋଗ କରି ଏମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ ଅନୁମତି ମାଗିଥିଲେ। ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଅନୁସରଣ କରି ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା।
ବିମାନ ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଏଥିରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟଙ୍କ କ୍ଷତି ହୋଇନଥିବା ବେଳେ ସତର୍କତାମୂଳକ ପଦକ୍ଷେପ ଭାବେ ବିମାନବନ୍ଦରରେ ପୁଲିସ, ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଦଳକୁ ପ୍ରସ୍ତୁତ ରଖାଯାଇଥିଲା। ରାଜକୋଟ ପୁଲିସ କମିଶନର କହିଛନ୍ତି ଯେ, ଘଟଣାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ଇଣ୍ଡିଗୋ ବିମାନ ସହ ଜଡିତ ଏହା ଦ୍ୱିତୀୟ ଜରୁରୀ ଘଟଣା। ଗତ ମେ ମାସରେ ହାଇଦ୍ରାବାଦରୁ ଚଣ୍ଡୀଗଡ଼ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କ ବିସ୍ଫୋରଣ ହେବାରୁ କ୍ୟାବିନ୍ରେ ଅଚାନକ ଧୂଆଁ ବ୍ୟାପିଯାଇଥିଲା। ସେହି ସମୟରେ କ୍ରୁ ସଦସ୍ୟମାନେ ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିଥିଲେ ଏବଂ ଜରୁରୀ ସ୍ଲାଇଡ୍ ବ୍ୟବହାର କରି ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ବର୍ତ୍ତମାନ ରାଜକୋଟ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବିମାନର ବୈଷୟିକ ଯାଞ୍ଚ ଆରମ୍ଭ କରାଯାଇଛି।

