ଫ୍ରାନ୍ସରେ ଇନ୍ଫୋସିସ ଉପରେ ୨ କୋଟି ଟଙ୍କା ଜରିମାନା; ଶ୍ରମ ନିୟମ ଉଲ୍ଲଂଘନ ଅଭିଯୋଗ
ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଆଇଟି କମ୍ପାନି ଇନ୍ଫୋସିସ ଫ୍ରାନ୍ସରେ ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ବଡ଼ ଝଟକା ଖାଇଛି। ଫ୍ରାନ୍ସର ସରକାରୀ ଶ୍ରମ ପ୍ରାଧିକରଣ ଇଲ୍-ଦେ-ଫ୍ରାନ୍ସ (Île-de-France Labour Authority) କମ୍ପାନି ଉପରେ ୧,୭୫,୦୦୦ ୟୁରୋ (ପ୍ରାୟ ୨ କୋଟି ଟଙ୍କା) ଜରିମାନା ଲାଗୁ କରିଛି। କର୍ମଚାରୀଙ୍କ କାର୍ଯ୍ୟ ସମୟର ରେକର୍ଡ ସଠିକ୍ ଭାବେ ସଂରକ୍ଷଣ ନ କରିବା ଏବଂ କାର୍ଯ୍ୟ ସମୟ ଉପରେ ଆବଶ୍ୟକୀୟ ନଜରଦାରିରେ ତ୍ରୁଟି ଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।
ଫ୍ରାନ୍ସରେ କର୍ମଚାରୀଙ୍କ କାର୍ଯ୍ୟ ସମୟ ସମ୍ପର୍କିତ ଶ୍ରମ ଆଇନ ଅତ୍ୟନ୍ତ କଠୋର। ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ କାମ କରାଇଲେ କମ୍ପାନିକୁ ଅତିରିକ୍ତ ପାରିଶ୍ରମିକ ଦେବା ସହ ଆଇନଗତ ନିୟମ ମାନିବାକୁ ପଡ଼େ। ଫରାସୀ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଇନ୍ଫୋସିସର ଆଭ୍ୟନ୍ତରୀଣ ବ୍ୟବସ୍ଥାରେ କର୍ମଚାରୀଙ୍କ କାର୍ଯ୍ୟ ସମୟର ସଠିକ୍ ରେକର୍ଡ ଏବଂ ଯାଞ୍ଚ ବ୍ୟବସ୍ଥାରେ ତ୍ରୁଟି ରହିଥିଲା, ଯାହା ଫ୍ରାନ୍ସର ଶ୍ରମ ଆଇନର ଉଲ୍ଲଂଘନ ବୋଲି ଧରାଯାଇଛି।
ଏପଟେ ଇନ୍ଫୋସିସ ପକ୍ଷରୁ କୁହାଯାଇଛି ଯେ, ଏହି ଜରିମାନା କମ୍ପାନିର ବ୍ୟବସାୟ କିମ୍ବା ଆର୍ଥିକ ସ୍ଥିତି ଉପରେ କୌଣସି ବଡ଼ ପ୍ରଭାବ ପକାଇବ ନାହିଁ। କମ୍ପାନି ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ କରି ଆବଶ୍ୟକ ଆଇନଗତ ପଦକ୍ଷେପ ନେବ ବୋଲି ଜଣାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଇନ୍ଫୋସିସର ସହ-ପ୍ରତିଷ୍ଠାତା ଏନ୍. ଆର୍. ନାରାୟଣ ମୂର୍ତ୍ତି କର୍ମଚାରୀମାନେ ସପ୍ତାହକୁ ୭୦ରୁ ୭୨ ଘଣ୍ଟା କାମ କରିବା ଉଚିତ୍ ବୋଲି ଦେଇଥିବା ମନ୍ତବ୍ୟକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ଏବେ ଫ୍ରାନ୍ସରେ ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗ ଇନ୍ଫୋସିସକୁ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆଣିଛି।

