କରୁର ଷ୍ଟାମ୍ପିଡ୍ ପୀଡ଼ିତ ପରିବାରଙ୍କୁ ସରକାରୀ ଚାକିରି ନିଷ୍ପତ୍ତିକୁ ବାତିଲ କଲେ ମାଡ୍ରାସ ହାଇକୋର୍ଟ!
ତାମିଲନାଡୁ: ତାମିଲନାଡୁର କରୁର ଷ୍ଟାମ୍ପିଡ୍ ଘଟଣାରେ ପ୍ରାଣ ହରାଇଥିବା ପରିବାରଗୁଡ଼ିକୁ ସରକାରୀ ଚାକିରି ଦେବାକୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ (TVK) ସରକାର ନେଇଥିବା ନିଷ୍ପତ୍ତିକୁ ସୋମବାର ମାଡ୍ରାସ ହାଇକୋର୍ଟ ବାତିଲ କରିଛନ୍ତି। ଏହି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଝଟକା ବୋଲି ମନେ କରାଯାଉଛି।
ସୂଚାନଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ କରୁରରେ ଟିଭିକେର ଏକ ରାଲି ସମୟରେ ଘଟିଥିବା ଷ୍ଟାମ୍ପିଡ୍ରେ ଶିଶୁଙ୍କ ସମେତ ୪୧ ଜଣଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ରାଜ୍ୟରେ ଡିଏମକେ ସରକାର କ୍ଷମତାରେ ଥିଲା। ପୁଲିସର ଅଭିଯୋଗ ଥିଲା ଯେ, ବିଜୟଙ୍କ ବିଳମ୍ବିତ ଆଗମନ ଯୋଗୁଁ ଅନୁମତିଠାରୁ ଅଧିକ ଭିଡ଼ ହୋଇଥିଲା ଏବଂ ରାଲିରେ ପାନୀୟ ଜଳ, ଖାଦ୍ୟ, ଶୌଚାଳୟ ଓ ଭିଡ଼ ପରିଚାଳନାରେ ଗୁରୁତର ତ୍ରୁଟି ରହିଥିଲା। ତେବେ ଟିଭିକେ ଏହି ଅଭିଯୋଗକୁ ଖଣ୍ଡନ କରି ପୁଲିସ ବିଫଳତା ଏବଂ ତତ୍କାଳୀନ ଡିଏମକେ ନେତାଙ୍କ ଷଡ଼ଯନ୍ତ୍ର ଦାବି କରିଥିଲା।
ଚଳିତ ମାସ ଆରମ୍ଭରେ ମୁଖ୍ୟମନ୍ତ୍ରୀ ବିଜୟ କରୁର ଗସ୍ତ ସମୟରେ ମୃତକଙ୍କ ୩୨ ଜଣ ଆଇନଗତ ଉତ୍ତରାଧିକାରୀଙ୍କୁ ସହାନୁଭୂତିମୂଳକ ସରକାରୀ ଚାକିରି ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। କିନ୍ତୁ ଏହାକୁ ବିରୋଧ କରି ଏଆଇଏଡିଏମକେ ନେତା ଆର୍.ବି. ଉଦୟକୁମାର କହିଥିଲେ ଯେ, ତାମିଲନାଡୁରେ ସରକାରୀ ଚାକିରି କେବଳ ତାମିଲନାଡୁ ପବ୍ଲିକ୍ ସର୍ଭିସ କମିଶନ୍ (TNPSC) ପ୍ରକ୍ରିୟାରେ ହେବା ଉଚିତ୍। ନିୟମକୁ ଉଲ୍ଲଂଘନ କରି କ୍ଷତିପୂରଣ ନାଁରେ ଚାକିରି ଦେବା ଲକ୍ଷ ଲକ୍ଷ ଚାକିରି ପ୍ରାର୍ଥୀଙ୍କ ପ୍ରତି ଅନ୍ୟାୟ ବୋଲି ସେ ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ ବର୍ତ୍ତମାନ ସିବିଆଇ କରୁଛି।

