ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ CJPର ଡ୍ୟାନ୍ସ ଭିଡିଓକୁ ନେଇ ବିବାଦ; ସୋନମ ୱାଙ୍ଗଚୁକ୍ ଓ ସମର୍ଥକଙ୍କ କଡ଼ା ପ୍ରତିକ୍ରିୟା
ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କକ୍ରୋଚ୍ ଜନତା ପାର୍ଟି (CJP) ନେତାମାନଙ୍କ ନାଚ-ଗୀତ ଓ ଉତ୍ସବ ପାଳନ କରୁଥିବା ଭିଡିଓକୁ ନେଇ ବିବାଦ ଏବେ ଜୋର ଧରିଛି । ପ୍ରାୟ ମାସେରୁ ଅଧିକ ସମୟ ଧରି ଚାଲିଥିବା ଆନ୍ଦୋଳନ ଶେଷ ହେବାର କିଛି ସମୟ ପରେ ସାମ୍ନାକୁ ଆସିଥିବା ଏହି ଭିଡିଓକୁ ନେଇ ସୋସିଆଲ୍ ମିଡିଆରେ ସମାଲୋଚନାର ସମ୍ମୁଖୀନ ହୋଇଛି । ଏପରିକି CJP ସହ ଜଡ଼ିତ କିଛି ସମର୍ଥକ ମଧ୍ୟ ଏହାକୁ ଅସମ୍ବେଦନଶୀଳ ବୋଲି କହିଛନ୍ତି।
ଆନ୍ଦୋଳନରେ ଅନଶନ କରିଥିବା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, “ବିଜୟ ସହ ବିନମ୍ରତା ରହିବା ଆବଶ୍ୟକ। ଉତ୍ସବ ପାଳନ କରନ୍ତୁ, କିନ୍ତୁ ମର୍ଯ୍ୟାଦା, ସଂଯମ ଓ ଦାୟିତ୍ୱବୋଧ ସହିତ।” ସେ କହିଛନ୍ତି, ସଫଳତା ହାସଲ କରିବା ଯେତିକି ଜରୁରୀ, ସେହି ସଫଳତାକୁ ନମ୍ରତା ସହ ଗ୍ରହଣ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଅନ୍ୟପଟେ, ଅନଲାଇନ୍ ପ୍ଲାଟଫର୍ମର ସହ-ପ୍ରତିଷ୍ଠାତା ତଥା ୟୁଟ୍ୟୁବର୍ ମେଘନାଦ CJP ନେତୃତ୍ୱ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଜନ୍ତର ମନ୍ତରରେ ମାସେରୁ ଅଧିକ ସମୟ ଧରି ଆନ୍ଦୋଳନ କରୁଥିବା ଅନେକ ଛାତ୍ର ଓ ସ୍ୱେଚ୍ଛାସେବକଙ୍କ ପାଇଁ ସେ ଏବଂ ତାଙ୍କ ସହଯୋଗୀମାନେ ନିଜ ଖର୍ଚ୍ଚରେ ଖାଦ୍ୟ ଓ ଘରକୁ ଫେରିବା ବ୍ୟବସ୍ଥା କରିଥିଲେ।
ମେଘନାଦ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ଆପଣମାନେ ପାର୍ଟି କରୁଥିବା ବେଳେ ୭୦ରୁ ଅଧିକ ଆନ୍ଦୋଳନକାରୀ ଓ ଛାତ୍ରଛାତ୍ରୀ ଦିଲ୍ଲୀରେ ଭୋକିଲା ଓ ଅସହାୟ ଅବସ୍ଥାରେ ରହିଥିଲେ। ଅଭିନନ୍ଦନ, ଆପଣମାନେ ଶେଷରେ ଆଉ ଏକ ସାଧାରଣ ରାଜନୈତିକ ଦଳରେ ପରିଣତ ହୋଇଗଲେ।” ତେବେ ବିବାଦ ମଧ୍ୟରେ CJP ପକ୍ଷରୁ ସଫେଇ ଦିଆଯାଇଛି। ଦଳର ମୁଖପାତ୍ର ସୌରଭ ଦାସ କହିଛନ୍ତି, ଏହି ଭିଡିଓ ଯୁବପିଢ଼ିର ମନୋଭାବକୁ ପ୍ରତିଫଳିତ କରେ। ସେ କହିଛନ୍ତି, “ଆମେ ରାସ୍ତାରେ ବସି ଆନ୍ଦୋଳନ ମଧ୍ୟ କରିପାରିବୁ, ନାଚି ନାଚି ପ୍ରତିବାଦ ମଧ୍ୟ କରିପାରିବୁ।” ପରେ ସେ ସ୍ପଷ୍ଟ କରିଥିଲେ ଯେ, ଏହା ବାସ୍ତବରେ ଆନ୍ଦୋଳନରେ ସହଯୋଗ କରିଥିବା ସ୍ୱେଚ୍ଛାସେବକଙ୍କୁ ସମ୍ମାନ ଜଣାଇବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମ ଥିଲା ଏବଂ ନାଚୁଥିବା ଦୃଶ୍ୟ ମାତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଥିଲା।

