ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେଲ୍ଫି ଭିଡିଓକୁ କିଛି ସମୟ ପାଇଁ ହଟାଇଲା ଫେସବୁକ୍; କ୍ଷମା ମାଗିଲା ମେଟା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଛାତ୍ର ଆନ୍ଦୋଳନକାରୀଙ୍କୁ ସମ୍ବୋଧିତ କରି ପୋଷ୍ଟ କରାଯାଇଥିବା ଏକ ସେଲ୍ଫି ଭିଡିଓକୁ ଫେସବୁକ୍ରୁ କିଛି ସମୟ ପାଇଁ ହଟାଯାଇଥିବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ପରେ ଭିଡିଓଟିକୁ ପୁନଃ ସ୍ଥାପନ କରାଯାଇଥିବାବେଳେ ମେଟା ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛି।
ସୂତ୍ର ଅନୁସାରେ, ବୈଷୟିକ ତ୍ରୁଟି କାରଣରୁ ଭିଡିଓଟି ଅସ୍ଥାୟୀ ଭାବେ ଫେସବୁକ୍ରୁ ହଟିଯାଇଥିଲା। ଘଟଣାକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେଇଥିବାବେଳେ ଏହାର କାରଣ ଜାଣିବା ପାଇଁ ମେଟାର ଅଧିକାରୀମାନଙ୍କୁ ଡାକି ସ୍ପଷ୍ଟୀକରଣ ମାଗିପାରନ୍ତି ବୋଲି ସୂଚନା ମିଳିଛି।
ଏହି ପ୍ରସଙ୍ଗରେ ମେଟାର ଜଣେ ମୁଖପାତ୍ର କହିଛନ୍ତି, “ଭୁଲବଶତଃ ଏହି କଣ୍ଟେଣ୍ଟକୁ ହଟାଯାଇଥିଲା। ପରେ ଏହାକୁ ପୁନଃ ସ୍ଥାପନ କରାଯାଇଛି। ଏହି ତ୍ରୁଟି ପାଇଁ ଆମେ ଦୁଃଖିତ।” ଘଟଣା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ କଣ୍ଟେଣ୍ଟ ପରିଚାଳନା ପ୍ରକ୍ରିୟାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

