ଆସାମରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର; ମୃତ୍ୟୁସଂଖ୍ୟା ୬୮, ୪.୪୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
ଆସାମ:ଆସାମରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଦେଖାଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟାଜନିତ କୌଣସି ନୂଆ ମୃତ୍ୟୁ ହୋଇଥିବା ସୂଚନା ଆସିନାହିଁ | ତେବେ ଚଳିତ ବର୍ଷ ବନ୍ୟାରେ ମୋଟ ମୃତ୍ୟୁସଂଖ୍ୟା ୬୮ରେ ସ୍ଥିର ରହିଛି। ତେବେ ରାଜ୍ୟର ୬ଟି ଜିଲ୍ଲାରେ ଏବେ ମଧ୍ୟ ୪ ଲକ୍ଷ ୪୫ ହଜାର ୪୯୫ ଜଣ ଲୋକ ବନ୍ୟା ଘେରରେ ରହିଛନ୍ତି ବୋଲି ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ସୂଚନା ଦେଇଛି।
ଏଏସଡିଏମଏ ଅନୁଯାୟୀ, ଚରାଇଦେଓ, ଶିବସାଗର, ଜୋରହାଟ, ଗୋଲାଘାଟ, ନଗାଓଁ ଓ କାମରୂପ (ମେଟ୍ରୋପଲିଟନ) ଜିଲ୍ଲା ବେଶୀ ମାତ୍ରାରେ ବନ୍ୟାରେ ପ୍ରଭାବିତ ହୋଇଛି। ସବୁଠାରୁ ଅଧିକ ୧ ଲକ୍ଷ ୮୮ ହଜାର ୪୦୪ ଜଣ ଚରାଇଦେଓ ଜିଲ୍ଲାରେ ପ୍ରଭାବିତ ଥିବାବେଳେ ଶିବସାଗରରେ ୧ ଲକ୍ଷ ୪୪ ହଜାର ୪୬୧ ଏବଂ ଜୋରହାଟରେ ୭୪ ହଜାର ୪୫୮ ଜଣ ପ୍ରଭାବିତ ହୋଇଛନ୍ତି। ରାଜ୍ୟରେ ୯୦ଟି ରିଲିଫ୍ କ୍ୟାମ୍ପରେ ୨୮ ହଜାର ୬୯୫ ଜଣ ବିସ୍ଥାପିତ ଲୋକ ଆଶ୍ରୟ ନେଇଥିବାବେଳେ ୯୪ଟି ରିଲିଫ୍ ବଣ୍ଟନ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି।
ଧନସିରି (ଦକ୍ଷିଣ) ନଦୀ ଗୋଲାଘାଟ ଜିଲ୍ଲାର ନୁମାଲିଗଡ଼ଠାରେ ବିପଦ ସୀମା ଉପରେ ପ୍ରବାହିତ ହେଉଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ୍, ଏସଡିଆରଏଫ୍ ଏବଂ ସିଭିଲ ଡିଫେନ୍ସ ଟିମ୍ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି। ୬୭ଟି ଡଙ୍ଗା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବାବେଳେ ୩୭ ହଜାର ୧୩୯.୫୨ ହେକ୍ଟର ଚାଷଜମି ଏବେ ମଧ୍ୟ ଜଳମଗ୍ନ ରହିଛି। ସେହିପରି ୨୬ ହଜାର ୬୭୯ଟି ପଶୁ ବନ୍ୟାରେ ଭାସିଯାଇଥିବା ସହ ବିଭିନ୍ନ ଜିଲ୍ଲାରେ ଘର, ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମିର କ୍ଷତି ହୋଇଥିବା ଜଣାପଡ଼ିଛି।

