ସ୍ୱାମୀଙ୍କ ମୃତ୍ୟୁ ସହିପାରିଲେନି ସ୍ତ୍ରୀ; କିଛି ଘଣ୍ଟା ବ୍ୟବଧାନରେ ଆଖି ବୁଜିଲେ,ଏକାସାଙ୍ଗରେ ହେଲା ଶେଷକୃତ୍ୟ
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର କୋନାସୀମା ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।ଜୀବନସାଥୀଙ୍କ ବିୟୋଗ ସହିପାରିନଥିବା ଜଣେ ୭୬ ବର୍ଷୀୟା ମହିଳା ସ୍ୱାମୀଙ୍କ ମୃତ୍ୟୁର କିଛି ଘଣ୍ଟା ମଧ୍ୟରେ ପ୍ରାଣ ହରାଇଛନ୍ତି। ଏହାପରେ ଉଭୟଙ୍କ ମୃତଦେହକୁ ଏକାସାଙ୍ଗରେ ଶବଯାତ୍ରାରେ ନେଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭାବପ୍ରବଣ ପରିବେଶ ସୃଷ୍ଟି କରିଛି।
ସୂଚନା ଅନୁସାରେ, ୮୭ ବର୍ଷୀୟ କାନେଟି ତାତାରାଓ ବୟସଜନିତ ଅସୁସ୍ଥତା କାରଣରୁ ଜୁଲାଇ ୨୪ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ରବିବାର ତାଙ୍କ ଶେଷକୃତ୍ୟ ପାଇଁ ପରିବାର ଲୋକ ପ୍ରସ୍ତୁତି କରୁଥିବା ବେଳେ ତାଙ୍କ ସ୍ତ୍ରୀ ଝାନ୍ସୀ ଲକ୍ଷ୍ମୀ ମଧ୍ୟ ପ୍ରାଣ ହରାଇଥିଲେ। ପରିବାର ସଦସ୍ୟଙ୍କ କହିବା ଅନୁସାରେ, ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଗଭୀର ମାନସିକ ଆଘାତରେ ଥିଲେ ଏବଂ ଏହି ଦୁଃଖକୁ ସହିପାରି ନଥିଲେ। ସ୍ୱାମୀଙ୍କ ଶେଷକୃତ୍ୟ ପୂର୍ବରୁ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଏହି ଘଟଣାରେ ପୁରା ପରିବାର, ସମ୍ପର୍କୀୟ ଏବଂ ଗ୍ରାମବାସୀ ଦୁଃଖରେ ମର୍ମାହତ ହୋଇପଡିଛନ୍ତି | ଉଭୟଙ୍କ ମରଶରୀରକୁ ଏକାସାଙ୍ଗରେ ଗୋଟିଏ ଶବଯାତ୍ରାରେ ନିଆଯାଇ ଆତ୍ମୀୟ, ବନ୍ଧୁ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଶେଷକୃତ୍ୟ କରାଯାଇଥିଲା।

