ପ୍ରେମିକ ସହ ଫୋନ୍ରେ କଥାବାର୍ତ୍ତା ବେଳେ କାନ୍ଦୁଥିଲା ପୁଅ, ୩ ବର୍ଷର ଶିଶୁକୁ ଶ୍ୱାସରୋଧ କରି ହତ୍ୟା କଲା ମା’
ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରେମିକଙ୍କ ସହ ଫୋନ୍ରେ କଥା ହେଉଥିବା ବେଳେ ବାରମ୍ବାର କାନ୍ଦୁଥିବାରୁ ଜଣେ ୩୨ ବର୍ଷୀୟା ମହିଳା ନିଜ ୩ ବର୍ଷର ପୁଅକୁ ଶ୍ୱାସରୋଧ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଜୁନ୍ ୨୮ ତାରିଖରେ ବଳଦେବ ଥାନା ଅଧୀନ ଛୌଲି ଗାଁରେ ଘଟିଥିବା ବେଳେ ସୋମବାର ଏହା ସାମ୍ନାକୁ ଆସିଛି।
ପୁଲିସ ସୂଚନା ଅନୁସାରେ, ଶିଶୁର ବାପା କୃଷ୍ଣ ମୁରାରୀ ଗୁପ୍ତା ଏକ ଔଷଧ ଦୋକାନରେ ଥିବା ସମୟରେ ତାଙ୍କ ସ୍ତ୍ରୀ ରୁଚି ଜିନ୍ଦାଲ ଫୋନ୍ କରି ପୁଅ ଅସୁସ୍ଥ ହୋଇଯାଇଥିବା କହିଥିଲେ। ପରିବାର ଲୋକେ ଶିଶୁକୁ ପ୍ରଥମେ ସ୍ଥାନୀୟ ଡାକ୍ତରଙ୍କ ପାଖକୁ ଏବଂ ପରେ ମଥୁରାର ଏକ ବେସରକାରୀ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ସେହି ଦିନ ପୋଲିଓ ଟିକା ଦିଆଯାଇଥିବାରୁ ତାହାର ପ୍ରତିକ୍ରିୟାରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ସନ୍ଦେହ କରି ଶବକୁ ସମାଧି ଦେଇଥିଲେ।
ତେବେ ସୋମବାର ଶିଶୁର ବାପା ନିଜ ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ଫୋନ୍ରେ ଘଟଣା ସମ୍ପର୍କରେ କଥାହେଉଥିବା ଶୁଣିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶିଶୁର ମୃତଦେହକୁ କବରରୁ ବାହାର କରି ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତର ଫଳାଫଳ ଆଧାରରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

