‘ଜଣେ ପ୍ରଧାନଙ୍କୁ ହଟାଇ ପ୍ରଧାନମନ୍ତ୍ରୀଙ୍କୁ ବଞ୍ଚାଇଲେ’: ସଂସଦରେ କେନ୍ଦ୍ର ସରକାରକୁ ଟାର୍ଗେଟ୍ କଲେ ଅଖିଳେଶ ଯାଦବ
ନୂଆଦିଲ୍ଲୀ: ଲୋକସଭାରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିରୋଧୀ ସଂଶୋଧନ ବିଲ୍ ଉପରେ ଆଲୋଚନା ସମୟରେ ସମାଜବାଦୀ ପାର୍ଟି (ଏସ୍ପି) ମୁଖ୍ୟ ଅଖିଳେଶ ଯାଦବ କେନ୍ଦ୍ର ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ସେ କଟାକ୍ଷ କରି କହିଛନ୍ତି, “ଜଣେ ‘ପ୍ରଧାନ’ଙ୍କୁ ହଟାଇ ‘ପ୍ରଧାନମନ୍ତ୍ରୀ’ଙ୍କୁ ବଞ୍ଚାଇ ଦିଆଗଲା।” ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍କୁ ନେଇ ଛାତ୍ର ଆନ୍ଦୋଳନ ପରେ ସରକାର ଲୋକଙ୍କ ଚାପରେ ଏହି ପଦକ୍ଷେପ ନେଇଥିବା ସେ ଦାବି କରିଛନ୍ତି।
ଅଖିଳେଶ କହିଛନ୍ତି, ଯୁବପିଢ଼ିର ଏକତା ଓ ଦୃଢ଼ ମନୋବଳ ଆଗରେ ସରକାରଙ୍କୁ ନତମସ୍ତକ ହେବାକୁ ବାଧ୍ୟ ହୋଇଛନ୍ତି । ସେ କହିଛନ୍ତି, ପ୍ରଥମଥର ପାଇଁ ଛାତ୍ର ଆନ୍ଦୋଳନକୁ ଅଭିଭାବକମାନଙ୍କର ବ୍ୟାପକ ସମର୍ଥନ ମିଳିଥିଲା। କୃଷକ ଆନ୍ଦୋଳନ ସମୟରେ ଯେପରି ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର କରିଥିଲେ, ସେହିପରି ଜନଚାପ ଆଗରେ ଏଥର ମଧ୍ୟ ସରକାର ପଛକୁ ହଟିଥିବା ସେ କହିଛନ୍ତି। ଯୁବପିଢ଼ି ଉଠାଇଥିବା ସମସ୍ତ ଦାବି ପୂରଣ କରିବାକୁ ମଧ୍ୟ ସେ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି।
ଏହାସହ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ, ବିଜେପି ସରକାର ଶିକ୍ଷା ବ୍ୟବସ୍ଥା, ପରୀକ୍ଷା ପ୍ରକ୍ରିୟା ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ କ୍ଷତିଗ୍ରସ୍ତ କରିଛି। ସେ ଆହୁରି କହିଛନ୍ତି ଯେ, ନିଯୁକ୍ତି ପ୍ରକ୍ରିୟାରେ ଦଳିତ ଓ ପଛୁଆ ବର୍ଗଙ୍କ ଅଧିକାର ହ୍ରାସ ପାଇଛି ଏବଂ ପରୀକ୍ଷା ପରି ସରକାରୀ ବ୍ୟବସ୍ଥାକୁ ମଧ୍ୟ ଆଉଟ୍ସୋର୍ସ କରାଯାଉଛି। ସୂଚନାଯୋଗ୍ୟ , ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ବିବାଦ ପରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହାପରେ କେନ୍ଦ୍ର ସରକାର ଲୋକସଭାରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ କଠୋର ବ୍ୟବସ୍ଥା ସମ୍ବଳିତ ସଂଶୋଧନ ବିଲ୍ ଉପସ୍ଥାପନ କରିଛନ୍ତି।

