ସରକାରୀ ଖର୍ଚ୍ଚ କମାଇବାକୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି! ଜଣେ ଅଧିକାରୀଙ୍କୁ ମିଳିବ କେବଳ ଗୋଟିଏ ସରକାରୀ ଗାଡ଼ି
ନୂଆଦିଲ୍ଲୀ: ସରକାରୀ ଖର୍ଚ୍ଚ କମାଇବା ଏବଂ ସରକାରୀ ସମ୍ପତ୍ତିର ଅପବ୍ୟବହାର ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ‘ଜଣେ ଅଧିକାରୀ, ଗୋଟିଏ ସରକାରୀ ଗାଡ଼ି’ ନୀତିକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି। ନୂଆ ନିୟମ ଅନୁସାରେ, କୌଣସି ଅଧିକାରୀ ଏକାଧିକ ମନ୍ତ୍ରଣାଳୟ, ବିଭାଗ, ସରକାରୀ ଉଦ୍ୟୋଗ (PSU) କିମ୍ବା ସ୍ୱୟଂଶାସିତ ସଂସ୍ଥାର ଅତିରିକ୍ତ ଦାୟିତ୍ୱ ନେଇଥିଲେ ମଧ୍ୟ ତାଙ୍କୁ ଦ୍ୱିତୀୟ ସରକାରୀ ଗାଡ଼ି ଦିଆଯିବ ନାହିଁ।
ବ୍ୟୟ ବିଭାଗ ପକ୍ଷରୁ ଜାରି ହୋଇଥିବା ଅଫିସ୍ ମେମୋରାଣ୍ଡମ୍ରେ କୁହାଯାଇଛି ଯେ, ୨୦୨୨ରେ ଜାରି ହୋଇଥିବା ସରକାରୀ ଷ୍ଟାଫ୍ କାର୍ ନିୟମାବଳୀକୁ ଆହୁରି କଡ଼ାକଡ଼ି କରାଯାଇଛି। ଯେଉଁ ଅଧିକାରୀ ପୂର୍ବରୁ ସରକାରୀ ଗାଡ଼ି ପାଇବାକୁ ଯୋଗ୍ୟ, ସେ ଯଦି ଅନ୍ୟ କୌଣସି ବିଭାଗ କିମ୍ବା ସଂସ୍ଥାର ଦାୟିତ୍ୱ ନେବେ, ତେବେ ସେହି ପୁରୁଣା ଗାଡ଼ିକୁ ହିଁ ବ୍ୟବହାର କରିବେ। କୌଣସି ମନ୍ତ୍ରଣାଳୟ କିମ୍ବା ବିଭାଗ ତାଙ୍କ ପାଇଁ ଅତିରିକ୍ତ ସରକାରୀ ଗାଡ଼ି ମଞ୍ଜୁର କରିପାରିବ ନାହିଁ।
ଏହାସହ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ରୀୟ ଅଧିକାରୀମାନେ ସରକାରୀ କାର୍ଯ୍ୟ କିମ୍ବା ଅନୁମୋଦିତ ଗସ୍ତ ବ୍ୟତୀତ କୌଣସି PSU, ସ୍ୱୟଂଶାସିତ ସଂସ୍ଥା କିମ୍ବା ଅର୍ଦ୍ଧ-ସରକାରୀ ସଂଗଠନର ଗାଡ଼ି ବ୍ୟବହାର କରିପାରିବେ ନାହିଁ। ବ୍ୟବହାର ହେଉନଥିବା କିମ୍ବା ଅତିରିକ୍ତ ଗାଡ଼ିଗୁଡ଼ିକୁ ସୁରକ୍ଷିତ ଭାବେ ରଖିବାକୁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ସେଗୁଡ଼ିକର କୌଣସି ଅନଧିକୃତ ବ୍ୟବହାର ହୋଇପାରିବ ନାହିଁ। ସରକାର କହିଛନ୍ତି, ଏହି ପଦକ୍ଷେପର ଉଦ୍ଦେଶ୍ୟ ପ୍ରଶାସନିକ ଦକ୍ଷତା ବଢ଼ାଇବା, ଅନାବଶ୍ୟକ ଖର୍ଚ୍ଚ କମାଇବା ଏବଂ କରଦାତାଙ୍କ ଅର୍ଥର ସଠିକ୍ ବ୍ୟବହାର ସୁନିଶ୍ଚିତ କରିବା। ସମସ୍ତ ମନ୍ତ୍ରଣାଳୟ ଓ ବିଭାଗକୁ ଏହି ନୂଆ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବ୍ୟୟ ବିଭାଗ ନିର୍ଦ୍ଦେଶ ଦେଇଛି।

