ନକଲି ଦଲିଲରେ ମୀନାକ୍ଷୀ ମନ୍ଦିରର ୬୦ କୋଟି ଟଙ୍କାର ଜମି ହଡ଼ପ ଅଭିଯୋଗ, ୧୯ ଜଣଙ୍କ ବିରୋଧରେ ମାମଲା
ତାମିଲନାଡୁ:ତାମିଲନାଡୁର ଐତିହାସିକ ମଦୁରାଇ ମୀନାକ୍ଷୀ ଅମ୍ମନ ମନ୍ଦିର ସହ ସମ୍ପୃକ୍ତ ଏକ ଧର୍ମାର୍ଥ ଟ୍ରଷ୍ଟର ପ୍ରାୟ ୧.୭୯ ଏକର ଜମିକୁ ନକଲି ଦଲିଲ ଓ ବେଆଇନ ରେଜିଷ୍ଟ୍ରେସନ ମାଧ୍ୟମରେ ହଡ଼ପ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ପ୍ରାୟ ୬୦ କୋଟି ଟଙ୍କା ମୂଲ୍ୟର ଏହି ସମ୍ପତ୍ତିକୁ ହାତେଇବା ପାଇଁ ଜାଲିଆତି କରାଯାଇଥିବା ଅଭିଯୋଗରେ ମଦୁରାଇ ସିଟି ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (CCB) ୧୯ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ମନ୍ଦିରର ଯୁଗ୍ମ କମିଶନର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସେଲ୍ଲାଥୁରାଇ ଏବଂ ଦୁର୍ନୀତି ବିରୋଧୀ ସଂଗଠନ ‘ଅରପ୍ପୋର ଇୟକ୍କମ୍’ଙ୍କ ଅଭିଯୋଗ ଆଧାରରେ ଏହି ମାମଲା ଦାଖଲ କରାଯାଇଛି।
ଅଭିଯୋଗ ଅନୁସାରେ, ୧୯୩୦ ମସିହାରେ ପଞ୍ଜିକୃତ ଏକ ଇଚ୍ଛାପତ୍ର (Will) ଅନୁଯାୟୀ ଅଲାଗର କୋଭିଲ୍ ରୋଡ଼ରେ ଥିବା ‘ଅଶୋକା ବିଲାସ’ ବଙ୍ଗଳା ଓ ସଂଲଗ୍ନ ଜମି ମୀନାକ୍ଷୀ ସୁନ୍ଦରେଶ୍ୱର ମନ୍ଦିର ଏବଂ ଅଲାଗର ମନ୍ଦିରର ସେବା ପାଇଁ ଗଠିତ ଏକ ଧର୍ମାର୍ଥ ଟ୍ରଷ୍ଟର ସମ୍ପତ୍ତି ଥିଲା। ଇଚ୍ଛାପତ୍ରରେ ଏହି ଜମିକୁ କେବଳ ଲିଜ୍ରେ ଦେବାକୁ ଅନୁମତି ଥିବାବେଳେ ବିକ୍ରି, ବନ୍ଧକ କିମ୍ବା ମାଲିକାନା ହସ୍ତାନ୍ତର ଉପରେ ସ୍ପଷ୍ଟ ନିଷେଧ ଥିଲା। ତଥାପି, ୨୦୧୬ ଜୁନ୍ ୨୪ରେ ତତ୍କାଳୀନ ମଦୁରାଇ ଉତ୍ତର ତହସିଲଦାର ଅନବାଳଗନ କଥିତ ଭାବେ ସରକାରୀ ରେକର୍ଡରୁ ମନ୍ଦିରର ମାଲିକାନା ହଟାଇ ନଅ ଜଣ ବ୍ୟକ୍ତିଙ୍କ ନାମରେ ବେଆଇନ ଭାବେ ପଟ୍ଟା ସ୍ଥାନାନ୍ତର କରିଥିଲେ। ପରେ ରେଭେନ୍ୟୁ ଡିଭିଜନାଲ ଅଫିସର ଏହି ଆଦେଶକୁ ବାତିଲ କରି ଜମିଟି ମନ୍ଦିର ଟ୍ରଷ୍ଟର ବୋଲି ପୁନଃ ସ୍ୱୀକୃତି ଦେଇଥିଲେ। ଏହି ଘଟଣାକୁ ନେଇ ମଦ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚରେ ମାମଲା ଦାଖଲ ହେବା ସହ ଅନ୍ତରୀଣ ସ୍ଥଗିତାଦେଶ ମଧ୍ୟ ଜାରି ହୋଇଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ, କୋର୍ଟଙ୍କ ସ୍ଥଗିତାଦେଶ ଥିବା ସତ୍ତ୍ୱେ ୨୦୨୧ ଏପ୍ରିଲ ୧୬ରେ ଥୁଥୁକୁଡ଼ି ଜିଲ୍ଲାର ମୁରାପ୍ପାନାଡୁ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଏକ ଜେନେରାଲ ପାୱାର ଅଫ୍ ଅଟର୍ଣ୍ଣି (GPA) ପଞ୍ଜିକୃତ କରାଯାଇଥିଲା। ପରେ ସେହି ଦଲିଲ ଆଧାରରେ ଦିଣ୍ଡିଗୁଲ ଜିଲ୍ଲାର ଭଡାମଦୁରାଇ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ବନ୍ଧକ ଦଲିଲ ମଧ୍ୟ ପଞ୍ଜିକୃତ କରାଯାଇଥିଲା। ତଦନ୍ତକାରୀ ଅଧିକାରୀଙ୍କ ଅନୁସାରେ, ଅଭିଯୁକ୍ତମାନେ ମିଳିମିଶି ଜାଲିଆତି ପଟ୍ଟା ସ୍ଥାନାନ୍ତର, ବେଆଇନ ରେଜିଷ୍ଟ୍ରେସନ ଏବଂ ବନ୍ଧକ କାରବାର ମାଧ୍ୟମରେ ମନ୍ଦିର ଟ୍ରଷ୍ଟର ମୂଲ୍ୟବାନ ଜମିକୁ ହଡ଼ପ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୧୮(୪) (ଠକେଇ) ଓ ୬୧(୨) (ଅପରାଧିକ ଷଡ଼ଯନ୍ତ୍ର) ଅନୁଯାୟୀ ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

