ଏଆଇ ଡିପ୍ଫେକ୍ ପୋଷ୍ଟ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିତିନ ଗଡ଼କରୀ, ଦାଏର କଲେ ୧୧ କୋଟି ଟଙ୍କାର ମାନହାନି ମାମଲା
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଏଆଇ ଡିପ୍ଫେକ୍, ଭୁଆ ଭିଡିଓ ଏବଂ ସୋସିଆଲ ମିଡିଆରେ ପ୍ରଚାରିତ ଅପମାନଜନକ ପୋଷ୍ଟକୁ ନେଇ ବମ୍ବେ ହାଇକୋର୍ଟରେ ୧୧ କୋଟି ଟଙ୍କାର ମାନହାନି ମାମଲା ଦାଏର କରିଛନ୍ତି। ଆବେଦନରେ କୁହାଯାଇଛି ଯେ, ତାଙ୍କୁ ଓ ତାଙ୍କ ପରିବାରକୁ ଇ-୨୦ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଏବଂ କଥିତ ଦୁର୍ନୀତି ସହ ଭୁଲ ଭାବେ ଜଡ଼ାଯାଇ ତାଙ୍କର ଛବିକୁ କ୍ଷତି ପହଞ୍ଚାଯାଇଛି।
ଗଡ଼କରୀ ତାଙ୍କ ଆବେଦନରେ ସ୍ପଷ୍ଟ କରିଛନ୍ତି ଯେ, ଇଥାନଲ ବ୍ଲେଣ୍ଡିଂ ପ୍ରୋଗ୍ରାମ୍ (EBP) କିମ୍ବା ଇ-୨୦ ନୀତିର ପ୍ରସ୍ତୁତି, ପରିଚାଳନା କିମ୍ବା କାର୍ଯ୍ୟକାରୀକରଣ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହେଉଥିବା ବେଳେ, ତାଙ୍କ ନାମରେ ପ୍ରଚାରିତ ରିଲ୍, ମିମ୍, ଡିପ୍ଫେକ୍ ଭିଡିଓ ଓ ଭୁଆ ଉକ୍ତିଗୁଡ଼ିକ ସମ୍ପୂର୍ଣ୍ଣ ମିଥ୍ୟା ଓ ମାନହାନିକର ବୋଲି ସେ ଦର୍ଶାଇଛନ୍ତି।
ଏହି ମାମଲାରେ ମେଟା, ଏକ୍ସ, ଗୁଗୁଲ, ୟୁଟ୍ୟୁବ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ, ଦୂରସଂଚାର ବିଭାଗ ସହ ଅଜଣା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଗଡ଼କରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ, ତାଙ୍କ ନାମ, ଚେହେରା ଓ ସ୍ୱର ବ୍ୟବହାର କରି ପ୍ରସ୍ତୁତ ସମସ୍ତ ଡିପ୍ଫେକ୍ ବିଷୟବସ୍ତୁକୁ ତୁରନ୍ତ ହଟାଇବା ସହ ୧୧ କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ। ଏହି ମାମଲାର ଖୁବ୍ ଶୀଘ୍ର ବମ୍ବେ ହାଇକୋର୍ଟରେ ଶୁଣାଣି ହେବ।

