WhatsAppଆଣିଲା ନୂଆ ବ୍ରାଉଜର କଲିଂ ସୁବିଧା; ମାର୍କ ଜୁକରବର୍ଗଙ୍କ ସହ କଲ୍ କରି ଟେଷ୍ଟ କଲେ କୁନାଲ ଶାହ
ନୂଆଦିଲ୍ଲୀ: WhatsApp ଏବେ ଏକ ନୂଆ ଫିଚର ଆଣିଛି, ଯାହା ମାଧ୍ୟମରେ ୟୁଜରମାନେ ୱେବ୍ ବ୍ରାଉଜରରୁ ସିଧାସଳଖ ଭଏସ୍ ଓ ଭିଡିଓ କଲ୍ କରିପାରିବେ। ଏହି ନୂଆ ଫିଚରକୁ ପରୀକ୍ଷା କରିବା ସମୟର ଏକ ସ୍କ୍ରିନସଟ୍ WhatsApp ମୁଖ୍ୟ କୁନାଲ ଶାହ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ସେ Meta CEO ମାର୍କ ଜୁକରବର୍ଗଙ୍କ ସହ WhatsApp ଭିଡିଓ କଲ୍ରେ ଥିବା ଦେଖାଯାଇଛି।
କୁନାଲ ଶାହ Xରେ ଏହି ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି, “WhatsApp calls now work in your browser.” ଏହି ଛବିରୁ ଜଣାପଡ଼ୁଛି ଯେ, ଏବେ ୟୁଜରମାନେ ଡେସ୍କଟପ୍ ଆପ୍ ଇନଷ୍ଟଲ କରିବା ବିନା Google Chrome, Microsoft Edge କିମ୍ବା Safari ଭଳି ବ୍ରାଉଜର ମାଧ୍ୟମରେ WhatsApp କଲ୍ କରିପାରିବେ। ପୂର୍ବରୁ କମ୍ପ୍ୟୁଟରରେ WhatsApp କଲ୍ ପାଇଁ ଡେସ୍କଟପ୍ ଆପ୍ ଡାଉନଲୋଡ୍ କରିବା ଆବଶ୍ୟକ ଥିଲା।
ନୂଆ ବ୍ରାଉଜର କଲିଂ ଫିଚର ବ୍ୟବହାର ପାଇଁ ୟୁଜରଙ୍କୁ web.whatsapp.com ଖୋଲି ଫୋନ୍ରୁ QR କୋଡ୍ ସ୍କାନ କରି ଆକାଉଣ୍ଟ ଲିଙ୍କ କରିବାକୁ ପଡ଼ିବ। ଏହାପରେ କଣ୍ଟାକ୍ଟ କିମ୍ବା ଗ୍ରୁପ୍ ଚୟନ କରି ଭଏସ୍ କିମ୍ବା ଭିଡିଓ କଲ୍ ଆରମ୍ଭ କରିହେବ। ଏହି ଫିଚରରେ ଏକକ ଓ ଗ୍ରୁପ୍ କଲ୍, ସ୍କ୍ରିନ୍ ସେୟାରିଂ, ଇମୋଜି ରିଆକ୍ସନ ଓ କଲ୍ସ ଟ୍ୟାବ୍ ଭଳି ସୁବିଧା ମିଳିବ।
ଏହା ସହ WhatsApp ଆହୁରି କିଛି ନୂଆ ଅପଡେଟ୍ ମଧ୍ୟ ଆଣିଛି। ନୂଆ Call Transfer ଫିଚର ମାଧ୍ୟମରେ ୟୁଜରମାନେ କଲ୍ କାଟିବା ବିନା ଗୋଟିଏ ଡିଭାଇସ୍ରୁ ଅନ୍ୟ ଡିଭାଇସ୍କୁ ଗ୍ରୁପ୍ କଲ୍ ସ୍ଥାନାନ୍ତର କରିପାରିବେ। ସେହିପରି Waiting Room ଫିଚର ମାଧ୍ୟମରେ ଗ୍ରୁପ୍ କଲ୍ରେ କିଏ ଯୋଗ ଦେବେ ତାହା ହୋଷ୍ଟ ନିୟନ୍ତ୍ରଣ କରିପାରିବେ। Background Noise Suppression ଫିଚର ଦ୍ୱାରା ଅଧିକ ଶବ୍ଦ ଥିବା ସ୍ଥାନରେ ମଧ୍ୟ କଲ୍ର ଗୁଣବତ୍ତା ଭଲ ରହିବ।

