ଜନ୍ତରମନ୍ତରରେ ପଥର ଭର୍ତ୍ତି ଟ୍ରକ୍ ଘଟଣାରେ ଦିଲ୍ଲୀ ପୋଲିସର ବଡ ଖୁଲାସା! ଦୁର୍ଘଟଣା ପରେ ପୋଲିସ ହେପାଜତରେ ଥିଲା ଗାଡ଼ି
ନୂଆଦିଲ୍ଲୀ: ଜୁଲାଇ ୨୦ ତାରିଖରେ ଜନ୍ତରମନ୍ତରରେ ହୋଇଥିବା ପ୍ରତିବାଦ ସମୟରେ ପଥର ଭର୍ତ୍ତି ଟ୍ରକ୍କୁ ନେଇ ଉଠିଥିବା ବିବାଦ ଉପରେ ଦିଲ୍ଲୀ ପୁଲିସ ସ୍ପଷ୍ଟୀକରଣ ଦେଇଛି। ପୁଲିସ କହିଛି ଯେ, ଟ୍ରକ୍ଟି ପ୍ରତିବାଦ ସ୍ଥଳ ନିକଟରେ ଯୋଜନାବଦ୍ଧ ଭାବେ ରଖାଯାଇନଥିଲା, ବରଂ ଜୁଲାଇ ୧୬ ତାରିଖରେ ଘଟିଥିବା ଏକ ସଡ଼କ ଦୁର୍ଘଟଣା ପରେ ଏହାକୁ ଜବତ କରାଯାଇଥିଲା।
ଦିଲ୍ଲୀ ପୁଲିସର ସୂଚନା ଅନୁସାରେ, ଫିରୋଜ ଶାହ ରୋଡ୍-କସ୍ତୁରବା ଗାନ୍ଧୀ ମାର୍ଗ କ୍ରସିଂରେ ଏକ ଡମ୍ପର ଟ୍ରକ୍ ଓ ମାରୁତି ଇକୋ ଭ୍ୟାନ୍ ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିଲେ। ଘଟଣା ପରେ ଟ୍ରକ୍ ଓ ଭ୍ୟାନ୍କୁ ପୁଲିସ ହେପାଜତକୁ ନିଆଯାଇଥିଲା। ସ୍ଥାନର ଅଭାବ ଯୋଗୁଁ ଟ୍ରକ୍ଟିକୁ ପ୍ରଥମେ ଥାନା ନିକଟରେ ସୁରକ୍ଷିତ ଭାବେ ରଖାଯାଇଥିଲା। ପରେ ‘ସଂସଦ ଚଲୋ’ ପଦଯାତ୍ରାକୁ ଦୃଷ୍ଟିରେ ରଖି ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।
ପୁଲିସ କହିଛି ଯେ, ଏହି ଟ୍ରକ୍ର ସହ ପ୍ରତିବାଦକାରୀ କିମ୍ବା କୌଣସି ରାଜନୈତିକ ଷଡ଼ଯନ୍ତ୍ରର କୌଣସି ସମ୍ପର୍କ ନାହିଁ। ଟ୍ରକ୍କୁ ନେଇ ଭୁଲ ତଥ୍ୟ କିମ୍ବା ଗୁଜବ ପ୍ରଚାର ନକରିବାକୁ ପୁଲିସ ଲୋକଙ୍କୁ ଅନୁରୋଧ କରିଛି। ଟ୍ରକ୍ ନମ୍ବର HR-63E-6865 ସମ୍ପର୍କରେ ସମସ୍ତ ତଥ୍ୟ ସରକାରୀ ପରିବହନ ଆପ୍ରେ ଉପଲବ୍ଧ ଥିବା ମଧ୍ୟ ପୁଲିସ କହିଛି। ଉଲ୍ଲେଖଯୋଗ୍ୟ, CJP ପ୍ରତିଷ୍ଠାତା ଅଭିଜିତ ଦୀପକେ ପ୍ରତିବାଦ ସ୍ଥଳରେ ଥିବା ଏହି ଟ୍ରକ୍ର ଭିଡିଓ ସେୟାର କରିବା ପରେ ଏହାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

