କୋଇଲା ବ୍ଲକ୍ ମାମଲାରୁ ମନମୋହନ ସିଂହଙ୍କ ନାଁ ହଟିଲା; ସୁପ୍ରିମକୋର୍ଟ ଦେଲେ କ୍ଲିନ୍ ଚିଟ୍
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ବୁଧବାର ତାଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ବନ୍ଦ କରିଦେଇଛନ୍ତି।ଏହାସହ ତାଙ୍କୁ ଟ୍ରାଏଲ୍ର ସମ୍ମୁଖୀନ ହେବା ପାଇଁ ଜାରି ହୋଇଥିବା ସମନ ଆଦେଶକୁ ମଧ୍ୟ ଖାରଜ କରିଛନ୍ତି।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। କୋର୍ଟ ସିବିଆଇର କ୍ଲୋଜର ରିପୋର୍ଟକୁ ଗ୍ରହଣ କରି କହିଛନ୍ତି ଯେ, ମାମଲାକୁ ଆଗକୁ ବଢ଼ାଇବା କିମ୍ବା ମନମୋହନ ସିଂହଙ୍କ ବିରୋଧରେ ସଂଜ୍ଞାନ ନେବା ପାଇଁ ପର୍ଯ୍ୟାପ୍ତ କାରଣ ନାହିଁ|ସୁପ୍ରିମକୋର୍ଟ କହିଛନ୍ତି ଯେ, ତଦନ୍ତକାରୀ ସଂସ୍ଥା ସିବିଆଇ ଦାଖଲ କରିଥିବା କ୍ଲୋଜର ରିପୋର୍ଟରେ ତ୍ରୁଟି ମିଳିନାହିଁ। ତେଣୁ ଏହି ରିପୋର୍ଟକୁ ଖାରଜ କରିବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ ବୋଲି କୋର୍ଟ କହିଛନ୍ତି।
ଏହି ମାମଲା ଓଡ଼ିଶାର ତାଲାବିରା-୨ କୋଇଲା ବ୍ଲକ୍ ଆବଣ୍ଟନ ସହ ଜଡ଼ିତ ଥିଲା। ୨୦୦୫ ମସିହାରେ ହୋଇଥିବା ଏହି କୋଇଲା ବ୍ଲକ୍ ଆବଣ୍ଟନକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ଏହି ମାମଲାରେ ମନମୋହନ ସିଂହଙ୍କ ସହ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା, ପୂର୍ବତନ କୋଇଲା ସଚିବ ପି.ସି. ପାରଖଙ୍କ ସମେତ ଅନ୍ୟ କିଛି ଲୋକଙ୍କୁ ଅଭିଯୁକ୍ତ ଭାବେ ସମନ ଜାରି କରାଯାଇଥିଲା। ପରେ ମନମୋହନ ସିଂହ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ସେ କହିଥିଲେ ଯେ, କୋଇଲା ବ୍ଲକ୍ ଆବଣ୍ଟନ ନିଷ୍ପତ୍ତିରେ କୌଣସି ଅପରାଧିକ ଉଦ୍ଦେଶ୍ୟ ନଥିଲା। ଏହାସହ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ଆବଶ୍ୟକ ଅନୁମତି ନିଆଯାଇନଥିବା ମଧ୍ୟ ସେ ଦର୍ଶାଇଥିଲେ। ୨୦୨୪ ଡିସେମ୍ବରରେ ମନମୋହନ ସିଂହଙ୍କ ଦେହାନ୍ତ ହୋଇଥିଲା। ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ଦେଶର ଏହି ଚର୍ଚ୍ଚିତ କୋଇଲା ମାମଲାରୁ ତାଙ୍କ ନାଁ ଆନୁଷ୍ଠାନିକ ଭାବେ ହଟିଯାଇଛି।

