ତ୍ଵିଶା ଶର୍ମା ମାମଲାରେ ବଡ଼ ଅପଡେଟ୍: ଗିରିବାଳା ସିଂହ ଓ ସମର୍ଥ ସିଂହଙ୍କ ନ୍ୟାୟିକ ହେପାଜତ ଅଗଷ୍ଟ୧୧ ପର୍ଯ୍ୟନ୍ତ ବଢ଼ିଲା
ମଧ୍ୟପ୍ରଦେଶ: ମଡେଲ୍ରୁ ଅଭିନେତ୍ରୀ ହୋଇଥିବା ତ୍ଵିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ଭୋପାଳ କୋର୍ଟ ଅଭିଯୁକ୍ତ ଗିରିବାଳା ସିଂହ ଓ ତାଙ୍କ ପୁଅ ସମର୍ଥ ସିଂହଙ୍କ ନ୍ୟାୟିକ ହେପାଜତକୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ସିବିଆଇ ତଦନ୍ତ ଶେଷ ପର୍ଯ୍ୟାୟରେ ଥିବା ଦର୍ଶାଇ ଅଧିକ ସମୟ ମାଗିଥିଲା, ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି। ଦୁଇ ଅଭିଯୁକ୍ତ ଭିଡିଓ କନ୍ଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ।
ଗିରିବାଳା ସିଂହ ତ୍ଵିଶାଙ୍କ ଶାଶୁ ଓ ସମର୍ଥ ସିଂହ ତାଙ୍କ ସ୍ୱାମୀ। ତ୍ଵିଶାଙ୍କୁ ଭୋପାଳସ୍ଥିତ ଶାଶୁଘରେ ମେ’ ୧୨ ତାରିଖରେ ମୃତ ଅବସ୍ଥାରେ ମିଳିଥିଲା। ଏହା ପରେ ଦୁହିଁଙ୍କୁ ଯୌତୁକ ନିର୍ଯାତନା, ମାନସିକ ନିର୍ଯାତନା ଓ ଘରୋଇ ହିଂସା ଅଭିଯୋଗରେ ଗିରଫ କରାଯାଇଥିଲା। ତ୍ଵିଶାଙ୍କ ପରିବାର ପକ୍ଷରୁ ପ୍ରାରମ୍ଭିକ ତଦନ୍ତ ଓ ପୋଷ୍ଟମର୍ଟମ ନେଇ ଆପତ୍ତି ଉଠାଯିବା ପରେ ମାମଲା ହାଇକୋର୍ଟ ପହଞ୍ଚିଥିଲା। ପରେ ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଟିମ୍ ଦ୍ୱାରା ଦ୍ୱିତୀୟ ପୋଷ୍ଟମର୍ଟମ କରାଯାଇ ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଥିଲା।
ତ୍ଵିଶାଙ୍କ ପରିବାର ପକ୍ଷର ଓକିଲ ଅଙ୍କୁର ପାଣ୍ଡେ କହିଛନ୍ତି ଯେ, ସିବିଆଇ ଅଗଷ୍ଟ ୧୧ରେ ମାମଲାର ଅନ୍ତିମ ରିପୋର୍ଟ ଓ ଚାର୍ଜସିଟ୍ ଦାଖଲ କରିବ। ଏହା ପୂର୍ବରୁ ଜୁଲାଇ ୨୫ରେ କୋର୍ଟ ଗିରିବାଳା ସିଂହଙ୍କ ଜାମିନ ଆବେଦନ ଖାରଜ କରିଥିଲେ ଏବଂ ଅଭିଯୋଗଗୁଡ଼ିକୁ ଗୁରୁତର ବୋଲି କହିଥିଲେ। ଏବେ ଅଗଷ୍ଟ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

