ନିଜ ବିଭାଗର ଯୋଜନାରୁ ୯୯ ଲକ୍ଷ ଟଙ୍କା ସବସିଡି ନେଇଥିଲେ କେନ୍ଦ୍ରମନ୍ତ୍ରୀ; ବିବାଦ ବଢ଼ିବା ପରେ ଫେରାଇଲେ ସମ୍ପୂର୍ଣ୍ଣ ଟଙ୍କା
ନୂଆଦିଲ୍ଲୀ: କେନ୍ଦ୍ରୀୟ କୃଷି ରାଜ୍ୟମନ୍ତ୍ରୀ ଭାଗୀରଥ ଚୌଧୁରୀ କାକୁଡ଼ି ଚାଷ ପ୍ରକଳ୍ପ ପାଇଁ ଜାତୀୟ ଉଦ୍ୟାନ କୃଷି ବୋର୍ଡ (ଏନ୍ଏଚ୍ବି) ଯୋଜନାରେ ମିଳିଥିବା ୯୯ ଲକ୍ଷ ଟଙ୍କାର ସବସିଡି ଫେରାଇ ଦେଇଛନ୍ତି। ଲୋକସଭାରେ କେନ୍ଦ୍ରୀୟ କୃଷି ରାଜ୍ୟମନ୍ତ୍ରୀ ରାମନାଥ ଠାକୁର ଏହି ସୂଚନା ଦେଇଛନ୍ତି। ଭାଗୀରଥ ଚୌଧୁରୀ ନିଜ ମନ୍ତ୍ରଣାଳୟ ଅଧୀନର ଯୋଜନାରୁ ସବସିଡି ପାଇଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜନୈତିକ ମହଲରେ ବିବାଦ ଓ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ସୂଚନା ଅନୁସାରେ, ଭାଗୀରଥ ଚୌଧୁରୀ ୧୫ ଏପ୍ରିଲ ୨୦୨୫ରେ କାକୁଡ଼ି ଚାଷ ପ୍ରକଳ୍ପ ପାଇଁ ଆବେଦନ କରିଥିଲେ। ୨୯ ଏପ୍ରିଲ ୨୦୨୫ରେ ପ୍ରାରମ୍ଭିକ ଅନୁମୋଦନ ମିଳିଥିଲା ଏବଂ ୧୧ ମାର୍ଚ୍ଚ ୨୦୨୬ରେ ଅନ୍ତିମ ମଞ୍ଜୁରି ପରେ ୩୦ ମାର୍ଚ୍ଚ ୨୦୨୬ରେ ୯୯.୦୩ ଲକ୍ଷ ଟଙ୍କା ସବସିଡି ତାଙ୍କ ଋଣ ଖାତାରେ ଜମା ହୋଇଥିଲା। ସେହି ସମୟରେ ସେ କେନ୍ଦ୍ରୀୟ କୃଷି ରାଜ୍ୟମନ୍ତ୍ରୀ ଓ ଏନ୍ଏଚ୍ବିର ଉପାଧ୍ୟକ୍ଷ ଥିବାରୁ ସ୍ୱାର୍ଥ ସଂଘାତକୁ ନେଇ ପ୍ରଶ୍ନ ଉଠିଥିଲା। ଜୁନ୍ ୨୦୨୬ରେ ଏକ ଗଣମାଧ୍ୟମର ତଦନ୍ତମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ବିବାଦ ଅଧିକ ତୀବ୍ର ହୋଇଥିଲା।
ବିବାଦ ବଢ଼ିବା ପରେ ଭାଗୀରଥ ଚୌଧୁରୀ କହିଥିଲେ ଯେ, ସେ ସମସ୍ତ ନିୟମ ଅନୁସରଣ କରି ସବସିଡି ପାଇଥିଲେ ଏବଂ କୌଣସି ତଥ୍ୟ ଲୁଚାଇ ନଥିଲେ। ତେବେ ପରେ ସେ ସମ୍ପୂର୍ଣ୍ଣ ସବସିଡି ରାଶି ସମ୍ବନ୍ଧିତ ବ୍ୟାଙ୍କକୁ ଫେରାଇ ଦେଇଥିଲେ। ସରକାର କହିଛନ୍ତି, ବ୍ୟାଙ୍କକୁ ସେହି ଅର୍ଥ ଏନ୍ଏଚ୍ବିକୁ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏନ୍ଏଚ୍ବି ଯୋଜନାରେ ମନ୍ତ୍ରୀ କିମ୍ବା ସାଂସଦଙ୍କ ଆବେଦନ ଉପରେ ପୃଥକ କୌଣସି ପ୍ରତିବନ୍ଧକ ନିୟମ ନାହିଁ। ଏହି ଘଟଣାକୁ ନେଇ ସ୍ୱଚ୍ଛତା ଓ ସ୍ୱାର୍ଥ ସଂଘାତ ପ୍ରସଙ୍ଗରେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।

