ଚା’ରେ ବିଷ ମିଶାଇ ପରିବାରକୁ ମାରିବା ଅଭିଯୋଗ; ସ୍ୱାମୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ପତ୍ନୀ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର କାନପୁରରେ ଏକ ପାରିବାରିକ ବିବାଦ ଚର୍ଚ୍ଚାରେ ରହିଛି। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହିମାଂଶୁ ଗୁପ୍ତା ତାଙ୍କ ପତ୍ନୀ ଜ୍ୟୋତି ଗୁପ୍ତାଙ୍କ ବିରୋଧରେ ଚା’ରେ ବିଷାକ୍ତ ପଦାର୍ଥ ମିଶାଇ ତାଙ୍କୁ ଓ ତାଙ୍କ ପିତାମାତାଙ୍କୁ ମାରିବାକୁ ଚେଷ୍ଟା କରିଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ହିମାଂଶୁଙ୍କ ଦାବି ଅନୁସାରେ, ପତ୍ନୀ ଦୀର୍ଘ ସମୟ ଧରି ଚା’ରେ କିଛି କ୍ଷତିକାରକ ପଦାର୍ଥ ମିଶାଉଥିଲେ। ସନ୍ଦେହ ହେବା ପରେ ସେ ଘରେ ଗୁପ୍ତ କ୍ୟାମେରା ଲଗାଇଥିଲେ ଏବଂ ଏଥିରେ ପତ୍ନୀ ଏକ ବୋତଲରୁ କିଛି ପଦାର୍ଥ ଚା’ରେ ମିଶାଉଥିବା ଦେଖାଯାଇଥିବା ସେ କହିଛନ୍ତି। ତେବେ ଜ୍ୟୋତି ଏହି ଅଭିଯୋଗକୁ ଖଣ୍ଡନ କରି ତାଙ୍କୁ ଫସାଯାଉଥିବା ଅଭିଯୋଗ କରିଛନ୍ତି।
ଜ୍ୟୋତିଙ୍କ କହିବା ଅନୁସାରେ, ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ଛାଡ଼ପତ୍ର ଚାହୁଁଛନ୍ତି ଏବଂ ସେଥିପାଇଁ ଏପରି ଅଭିଯୋଗ ଲଗାଇଛନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ବିବାହ ପରେ ତାଙ୍କୁ ଯୌତୁକ ଓ ପାରିବାରିକ ବିବାଦକୁ ନେଇ ନିର୍ଯାତନା ଦିଆଯାଇଥିଲା। ବର୍ତ୍ତମାନ ପୁଲିସ ଉଭୟ ପକ୍ଷର ଅଭିଯୋଗ ଆଧାରରେ ଘଟଣାର ସତ୍ୟତା ଯାଞ୍ଚ କରୁଛି।

