‘ବିରୋଧୀ ଦଳକୁ ଆଉ ସମୟ ଦିଅନ୍ତୁ ନାହିଁ’, TMC ବିବାଦର ଶୀଘ୍ର ସମାଧାନ ପାଇଁ ନିର୍ବାଚନ ଆୟୋଗଙ୍କୁ ମମତାଙ୍କ ଚିଠି
କୋଲକାତା: ତୃଣମୂଳ କଂଗ୍ରେସ (TMC)ର ନାମ, ନିର୍ବାଚନୀ ଚିହ୍ନ ଓ ସାଙ୍ଗଠନିକ ନିୟନ୍ତ୍ରଣକୁ ନେଇ ଚାଲିଥିବା ବିବାଦର ଶୀଘ୍ର ସମାଧାନ ପାଇଁ ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି। ବୁଧବାର ନିର୍ବାଚନ ଆୟୋଗର ସଚିବ ଅଶ୍ୱିନୀ କୁମାର ମୋହଲଙ୍କୁ ପଠାଯାଇଥିବା ଚିଠିରେ ସେ କହିଛନ୍ତି ଯେ, ‘ବିରୋଧୀ ଦଳକୁ ବାରମ୍ବାର ସମୟ ବୃଦ୍ଧି ଦିଆଯାଇଥିଲେ ମଧ୍ୟ ସେମାନେ ନିଜର ଉତ୍ତର ଦାଖଲ କରିନାହାନ୍ତି।’ ତେଣୁ ଆଉ କୌଣସି ସମୟ ନ ଦେଇ ଏହି ମାମଲାର ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ସେ ଅନୁରୋଧ କରିଛନ୍ତି।
ମମତା ବାନାର୍ଜୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ଦଳ ଜୁଲାଇ ୬ ତାରିଖରେ ସମସ୍ତ ଦଲିଲ ସମୟ ମଧ୍ୟରେ ଦାଖଲ କରିଥିଲା ଏବଂ ଏହାର ଏକ କପି ରିତାବ୍ରତ ବାନାର୍ଜୀଙ୍କ ଦଳକୁ ମଧ୍ୟ ପଠାଯାଇଥିଲା। କିନ୍ତୁ ବିରୋଧୀ ଦଳକୁ ପ୍ରଥମେ ଜୁଲାଇ ୧୦ ଓ ପରେ ଜୁଲାଇ ୨୫ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲେ ମଧ୍ୟ ସେମାନେ କୌଣସି ଉତ୍ତର ଦେଇନାହାନ୍ତି ବୋଲି ସେ ଦାବି କରିଛନ୍ତି। ମମତାଙ୍କ ଅଭିଯୋଗ ଅନୁସାରେ, ବାରମ୍ବାର ସମୟ ବଢ଼ାଇବା ଦ୍ୱାରା ବିରୋଧୀ ଗୋଷ୍ଠୀ ନୂଆ ପ୍ରମାଣ ସୃଷ୍ଟି କରିବାକୁ ସୁଯୋଗ ପାଉଛନ୍ତି, ଯାହା ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଉଛି।
ଏହି ବିବାଦ ମମତା ବାନାର୍ଜୀଙ୍କ ଶିବିର ଏବଂ ବିଦ୍ରୋହୀ ନେତା ରିତାବ୍ରତ ବାନାର୍ଜୀଙ୍କ ଦଳ ମଧ୍ୟରେ TMCର ପ୍ରକୃତ ଅଧିକାରକୁ ନେଇ ଚାଲିଛି। ଉଭୟ ପକ୍ଷ ଦଳର ନାମ, ନିର୍ବାଚନୀ ଚିହ୍ନ, ସାଙ୍ଗଠନିକ ନିୟନ୍ତ୍ରଣ ଓ ସମ୍ପତ୍ତି ଉପରେ ନିଜର ଦାବି ଉପସ୍ଥାପନ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ପରେ କେଉଁ ଦଳକୁ ପ୍ରକୃତ ତୃଣମୂଳ କଂଗ୍ରେସ ଭାବେ ସ୍ୱୀକୃତି ମିଳିବ, ତାହା ପରେ ସ୍ପଷ୍ଟ ହେବ। ତେବେ ଏହି ନିଷ୍ପତ୍ତି ପଶ୍ଚିମବଙ୍ଗର ରାଜନୀତି ଉପରେ ଏକ ବଡ଼ ପ୍ରଭାବ ପକାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

