ନାଗପୁର ମନ୍ଦିରରେ ଚୋରିର ଅଜବ ଘଟଣା; ଦାନବାକ୍ସ ଭାଙ୍ଗିବା ପୂର୍ବରୁ ଦେବୀଙ୍କୁ କ୍ଷମା ମାଗିଲା ଚୋର! CCTVରେ କଏଦ ହେଲା ଦୃଶ୍ୟ
ମହାରାଷ୍ଟ୍ର: ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ଶୀତଳା ଦେବୀ ମନ୍ଦିରରେ ଏକ ଅଦ୍ଭୁତ ଚୋରି ଘଟଣା ସାମ୍ନାକୁ ଆସିଛି। ଜୁଲାଇ ୨୮ ତାରିଖ ରାତି ପ୍ରାୟ ୨ଟା ୨୦ ମିନିଟ୍ ସମୟରେ ଦୁଇଜଣ ଦୁର୍ବୃତ୍ତ ମନ୍ଦିର ଭିତରକୁ ପ୍ରବେଶ କରି ପ୍ରଥମେ ଦେବୀଙ୍କ ସମ୍ମୁଖରେ ହାତ ଯୋଡ଼ିବା ସହ କାନ ଧରି କ୍ଷମା ପ୍ରାର୍ଥନା କରିଥିଲେ। ଏହାପରେ ସେମାନେ ଦାନବାକ୍ସର ତାଲା ଭାଙ୍ଗି ସେଥିରେ ଥିବା ସମସ୍ତ ନଗଦ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା ମନ୍ଦିରରେ ଲାଗିଥିବା CCTV କ୍ୟାମେରାରେ ରେକର୍ଡ ହୋଇଛି।
CCTV ଫୁଟେଜରେ ଦେଖିବାକୁ ମିଳିଛି ଯେ, ଜଣେ ଅଭିଯୁକ୍ତ ଦେବୀଙ୍କ ସମ୍ମୁଖରେ କାନ ଧରି କ୍ଷମା ମାଗୁଥିବା ବେଳେ ଅନ୍ୟଜଣ ଦାନବାକ୍ସର ତାଲା ଭାଙ୍ଗିବାକୁ ଚେଷ୍ଟା କରୁଥିଲେ। ପରେ ପ୍ରଥମ ବ୍ୟକ୍ତି ଚାରିପାଖରେ ନଜର ରଖିଥିବା ବେଳେ ସହଯୋଗୀ ଦାନବାକ୍ସ ଭାଙ୍ଗି ଟଙ୍କା ବାହାର କରି ଏକ ବ୍ୟାଗ୍ରେ ଭରିଥିଲେ। ସକାଳେ ମନ୍ଦିର କର୍ତ୍ତୃପକ୍ଷ ପହଞ୍ଚି ତାଲା ଭଙ୍ଗା ଦେଖି ପୋଲିସକୁ ସୂଚନା ଦେଇଥିଲେ। ମନ୍ଦିର ପୂଜକ ଜିତେନ୍ଦ୍ର ପାଣ୍ଡେ କହିଛନ୍ତି ଯେ, CCTV ଯାଞ୍ଚ କରିବା ପରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ଚୋରି କରୁଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା।
ମନ୍ଦିର ପୂଜକଙ୍କ କହିବା ଅନୁସାରେ, ଗତ ଏକ ବର୍ଷ ମଧ୍ୟରେ ଏହା ତୃତୀୟ ଚୋରି ଘଟଣା। ପୂର୍ବରୁ CCTV ନଥିବା ସମୟରେ ଦେବୀଙ୍କ ସୁନାର ମଙ୍ଗଳସୂତ୍ର ଚୋରି ହୋଇଥିଲା। ପରେ ଆଉ ଥରେ ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟ୍ ହୋଇଥିଲା। ଏଥର ମଧ୍ୟ ଦୁଇଟି ମନ୍ଦିରର ଦାନବାକ୍ସ ଭାଙ୍ଗି ନଗଦ ଟଙ୍କା ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ପୋଲିସ CCTV ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କ ଚିହ୍ନଟ ଏବଂ ଗିରଫ ପାଇଁ ତଦନ୍ତ ଆରମ୍ଭ କରିଛି।

