ପାକିସ୍ତାନୀଙ୍କ ନିର୍ଦ୍ଦେଶରେ ଅପହରଣ ଷଡ଼ଯନ୍ତ୍ର! ଥାଇଲାଣ୍ଡରେ ୫ ଭାରତୀୟ ଗିରଫ
ନୂଆଦିଲ୍ଲୀ: ଥାଇଲାଣ୍ଡରେ ତିନିଜଣ ଭାରତୀୟ ପର୍ଯ୍ୟଟକଙ୍କୁ ଅପହରଣ କରି ମୁକ୍ତିପଣ ମାଗିବା ଅଭିଯୋଗରେ ପାଞ୍ଚଜଣ ଭାରତୀୟଙ୍କୁ ପୋଲିସ ଗିରଫ କରିଛି। ବ୍ୟାଙ୍ଗକ ପୋଷ୍ଟର ରିପୋର୍ଟ ଅନୁସାରେ, ଅଭିଯୁକ୍ତମାନେ ଦେଶ ଛାଡ଼ି ପଳାଇବା ଉଦ୍ୟମ କରୁଥିବାବେଳେ ବ୍ୟାଙ୍ଗକର ଖିଲୋଙ୍ଗ ଟାନ୍ ଅଞ୍ଚଳର ଏକ ହୋଟେଲରୁ ସେମାନଙ୍କୁ ଅଟକ କରାଯାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଅବତାର ସିଂ, ଜଗଜିତ ସିଂ, ରାମବଲକ କୁମାର, ସୁଖବୀର ସିଂ ଏବଂ କୁଲରା ସିଂ।
ତଦନ୍ତରୁ ଜଣାପଡ଼ିଛି ଯେ, ପାକିସ୍ତାନର ଜଣେ ବ୍ୟକ୍ତି ହ୍ୱାଟସ୍ଆପ୍ ଜରିଆରେ ସେମାନଙ୍କ ସହ ଯୋଗାଯୋଗ କରି ତିନିଜଣ ଭାରତୀୟଙ୍କୁ ଅପହରଣ କରିବାକୁ କହିଥିଲେ। ଦୁବାଇରୁ ସେ ଏହି ଷଡ଼ଯନ୍ତ୍ରର ନିରୀକ୍ଷଣ କରୁଥିବାବେଳେ କ୍ରିପ୍ଟୋ କରେନ୍ସି ମାଧ୍ୟମରେ ଟଙ୍କା କାରବାର ହୋଇଥିବା ପୋଲିସ କହିଛି। ଅଭିଯୁକ୍ତମାନେ ବୁଲାଇବା ବାହାନାରେ ମୋହିତ, ଆଶିଷ ଓ ହିମାଂଶୁଙ୍କୁ ଏକ ଘରେ ବନ୍ଦ କରି ରଖିବା ସହ ସେମାନଙ୍କୁ ମାଡ଼ ମାରୁଥିଲେ। ସେମାନଙ୍କ ପରିବାର ଲୋକଙ୍କୁ ଅପହରଣକାରୀ ୪୦ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି।
ଘଟଣା ସମ୍ପର୍କରେ ଭାରତୀୟ ଦୂତାବାସ ଏବଂ ପୀଡ଼ିତଙ୍କ ପରିବାର ପକ୍ଷରୁ ସୂଚନା ମିଳିବା ପରେ ଥାଇଲାଣ୍ଡ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଆଧାରରେ ପଟ୍ଟାୟାର ଏକ ଘରେ ଚଢ଼ାଉ କରି ତିନିଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ସେଠାରୁ ଦଉଡ଼ି, କାଠ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ପୋଲିସର କହିବାନୁସାରେ, ଏହା ପୂର୍ବରୁ ମଧ୍ୟ ଜଣେ ଭାରତୀୟଙ୍କୁ ସେହି ଗ୍ୟାଙ୍ଗ ବନ୍ଧକ ରଖିଥିଲା ଏବଂ ତାଙ୍କୁ ମୁକ୍ତ କରିବା ପାଇଁ ପରିବାର ପକ୍ଷରୁ ୩୦ ଲକ୍ଷ ଟଙ୍କା ଦିଆଯାଇଥିଲା। ବର୍ତ୍ତମାନ ପୋଲିସ ସମଗ୍ର ରାକେଟର ପର୍ଦ୍ଦାଫାଶ କରିବା ପାଇଁ ଅଧିକ ତଦନ୍ତ ଚଳାଇଛି।

