ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ; ଉର୍ଜା ସୁରକ୍ଷା ଉପରେ ଫୋକସ୍
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଦଳୁଥିବା ପରିସ୍ଥିତି ଏବଂ ଏହାର ଭାରତର ଉର୍ଜା ସୁରକ୍ଷା ଉପରେ ସମ୍ଭାବ୍ୟ ପ୍ରଭାବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସଂସଦ ପରିସରରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (CCS)ର ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି | ବୈଠକରେ ପଶ୍ଚିମ ଏସିଆର ସଦ୍ୟ ସ୍ଥିତିର ସମୀକ୍ଷା ସହ ଦେଶର ଇନ୍ଧନ ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ବିକଳ୍ପ ପଦକ୍ଷେପ ଉପରେ ଆଲୋଚନା ହୋଇଛି।
ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, କିରେନ୍ ରିଜିଜୁ, ଜେ.ପି. ନଡ୍ଡା, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଉପସ୍ଥିତ ଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ବରିଷ୍ଠ ସୁରକ୍ଷା ଏବଂ ସରକାରୀ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ।
ସୂତ୍ର ଅନୁସାରେ, ବୈଠକରେ ଅଶୋଧିତ ତୈଳ, ପେଟ୍ରୋଲିୟମ ଉତ୍ପାଦ, ଏଲ୍ପିଜି ଏବଂ ଅନ୍ୟାନ୍ୟ ଜରୁରୀ ଉର୍ଜା ସାମଗ୍ରୀର ଆମଦାନି ଉପରେ ସମ୍ଭାବ୍ୟ ପ୍ରଭାବକୁ ନେଇ ବିସ୍ତୃତ ଆଲୋଚନା କରାଯାଇଛି। ପରିସ୍ଥିତି ଆହୁରି ଜଟିଳ ହେଲେ ଦେଶରେ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ନ ହେବା ପାଇଁ ପ୍ରସ୍ତୁତି ଏବଂ ବିକଳ୍ପ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଛି। ବୈଠକ ଶେଷ ପରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ଜଣାପଡିବ |

