ବାଙ୍କିପୁର ଉପନିର୍ବାଚନରେ ଭୋଟ୍ ଜାଲିଆତି ଅଭିଯୋଗ! ଜନ ସୁରାଜକୁ ଘେରିଲା ବିଜେପି, ପ୍ରଶାନ୍ତ କିଶୋରଙ୍କ ପାଲଟା ଜବାବ
ବିହାର: ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନ ମଧ୍ୟରେ ନକଲି ଭୋଟ୍କୁ ନେଇ ରାଜନୈତିକ ଉତ୍ତେଜନା ବଢ଼ିଛି। ବିଜେପି ଅଭିଯୋଗ କରିଛି ଯେ, ଜନ ସୁରାଜ ପାର୍ଟିର କର୍ମୀମାନେ ଜାଲିଆତି କରି ଭୋଟ୍ ଦେବାକୁ ଚେଷ୍ଟା କରୁଛନ୍ତି। ଏନେଇ ଦଳ ପକ୍ଷରୁ ରିଟର୍ଣ୍ଣିଂ ଅଫିସରଙ୍କୁ ଚିଠି ଲେଖି ପ୍ରତ୍ୟେକ ଭୋଟରଙ୍କ ପରିଚୟପତ୍ରକୁ କଡ଼ାକଡ଼ି ଯାଞ୍ଚ କରିବା ସହ ନିର୍ବାଚନ କମିଶନଙ୍କୁ ଭୋଟ୍ ଯାଞ୍ଚ ପ୍ରକ୍ରିୟା ଆହୁରି କଠୋର କରିବାକୁ ଦାବି କରିଛି। ସକାଳ ୧୧ଟା ସୁଦ୍ଧା ପ୍ରାୟ ୧୧.୫ ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ସୂଚନା ମିଳିଛି।
ବିଜେପିର ଅଭିଯୋଗକୁ ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଖଣ୍ଡନ କରିବା ସହ ପାଲଟା ଜବାବ ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ଥର ପାଇଁ ବିଜେପି ଏକ ଭଲ କାମ କରିଛି, କାରଣ ନକଲି ଭୋଟ୍ ରୋକିବା ପାଇଁ EPIC କାର୍ଡର କଡ଼ା ଯାଞ୍ଚ ଦାବିକୁ ତାଙ୍କ ଦଳ ସ୍ୱାଗତ କରୁଛି। ବାଙ୍କିପୁର ଉପନିର୍ବାଚନରେ ତାଙ୍କ ଦଳର ବିଜୟ “୨୦୦ ପ୍ରତିଶତ ନିଶ୍ଚିତ” ବୋଲି ମଧ୍ୟ ସେ ଦାବି କରିଛନ୍ତି। ଏହି ଆସନରୁ ପ୍ରଶାନ୍ତ କିଶୋର ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ଯୁବ ନେତା ନୀରଜ କୁମାର ସିଂହଙ୍କୁ ଏବଂ ଆରଜେଡି ପୁଣିଥରେ ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି।
ମତଦାନକୁ ଶାନ୍ତିପୂର୍ଣ୍ଣ ଓ ସ୍ୱଚ୍ଛ ରଖିବା ପାଇଁ ପାଟନା ଜିଲ୍ଲା ପ୍ରଶାସନ ୮ ଜଣ ସୁପର ଜୋନାଲ୍ ମାଜିଷ୍ଟ୍ରେଟ୍, ୧୬ ଜଣ ଜୋନାଲ୍ ମାଜିଷ୍ଟ୍ରେଟ୍ ଓ ୪୨ ଜଣ ସେକ୍ଟର ମାଜିଷ୍ଟ୍ରେଟ୍ ମୁତୟନ କରିଛି। ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ ଅତିରିକ୍ତ ସୁରକ୍ଷା ବଳ ମଧ୍ୟ ନିୟୋଜିତ କରାଯାଇଛି । ସନ୍ଦେହଜନକ ଭୋଟରଙ୍କ EPIC କାର୍ଡକୁ QR କୋଡ୍ ସ୍କାନ୍ କରି ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ କିଛି ମତଦାନ କେନ୍ଦ୍ରରେ ବିଜେପି ଓ ଜନ ସୁରାଜ ସମର୍ଥକଙ୍କ ମଧ୍ୟରେ ବିବାଦ ହୋଇଥିବା ବେଳେ ପୁଲିସ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି।

