ଆସାମରେ ବନ୍ୟାର କରୁଣା ଚିତ୍ର: ମୃତ୍ୟୁସଂଖ୍ୟା ୭୮କୁ ବୃଦ୍ଧି, ଅଗଷ୍ଟ ୧ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପାଣିପାଗର ସତର୍କତା
ଆସାମ: ଆସାମରେ ବନ୍ୟା ପରିସ୍ଥିତି ଏବେ ମଧ୍ୟ ଗୁରୁତର ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ଜନିତ ଘଟଣାରେ ମୃତ୍ୟୁସଂଖ୍ୟା ୭୮ରେ ପହଞ୍ଚିଥିବା ବେଳେ ୩ ଲକ୍ଷରୁ ଅଧିକ ଲୋକ ଏପର୍ଯ୍ୟନ୍ତ ପ୍ରଭାବିତ ଅଛନ୍ତି। କେତେକ ଅଞ୍ଚଳରେ ବନ୍ୟାଜଳ କମିବା ଆରମ୍ଭ କରିଥିଲେ ମଧ୍ୟ ସାମଗ୍ରିକ ପରିସ୍ଥିତି ସ୍ୱାଭାବିକ ହୋଇନାହିଁ। ଭାରତୀୟ ପାଣିପାଗ ବିଭାଗ (IMD) ଅଗଷ୍ଟ ୧ ପର୍ଯ୍ୟନ୍ତ ଆସାମ ସମେତ ଅରୁଣାଚଳ ପ୍ରଦେଶ ଓ ନାଗାଲ୍ୟାଣ୍ଡର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି।
ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ମଧ୍ୟରେ କାମରୂପ (ମେଟ୍ରୋ), ନାଗାଓଁ, ସୋନିତପୁର, ଗୋଲାଘାଟ, ଯୋରହାଟ, ଶିବସାଗର ଓ ଚରାଇଦେଓ ରହିଛି। ବର୍ଷା ଜାରି ରହିବା ଏବଂ ନଦୀଗୁଡ଼ିକର ଜଳସ୍ତର ବଢ଼ିବା ଯୋଗୁଁ ନିମ୍ନାଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ଅବ୍ୟାହତ ରହିଛି। ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଉଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
ରାଜ୍ୟ ସରକାରଙ୍କ ସହ ଏନ୍ଡିଆରଏଫ୍, ଏସ୍ଡିଆରଏଫ୍, ସ୍ଥାନୀୟ ପ୍ରଶାସନ ଏବଂ ଭାରତୀୟ ସେନାର ସ୍ପିୟର୍ କର୍ପ୍ସ ମିଳିତ ଭାବେ ‘ଅପରେସନ୍ ରାହତ’ ଅଧୀନରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ସେନା ପକ୍ଷରୁ ୧,୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯିବା ସହ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି। ଏଥିସହ ୧୯ ଟନ୍ ଖାଦ୍ୟଶସ୍ୟ, ୩୦,୫୦୦ରୁ ଅଧିକ ଖାଦ୍ୟ ପ୍ୟାକେଟ୍, ୪୩,୦୦୦ ଲିଟରରୁ ଅଧିକ ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚାଯାଇଛି।

