ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଏଣ୍ଟ୍ରି ମାରିଲା ସାଉଦି ଆରବ; ୨୦ ମୃତ, ପୁଣି ବଢ଼ିଲା ଯୁଦ୍ଧ ଉତ୍ତେଜନା
ନୂଆଦିଲ୍ଲୀ: ଇରାନକୁ କେନ୍ଦ୍ର କରି ମଧ୍ୟପ୍ରାଚ୍ୟର ଉତ୍ତେଜନା ଆହୁରି ବଢ଼ିଛି। ମଙ୍ଗଳବାର ରାତିରେ ସାଉଦି ଆରବ ଆମେରିକା ସହ ମିଶି ଇରାକରେ ଇରାନ ସମର୍ଥିତ ସଶସ୍ତ୍ର ଗୋଷ୍ଠୀ ‘ପପୁଲାର ମୋବିଲାଇଜେସନ୍ ଫୋର୍ସ’ (PMF)ର ଏକାଧିକ ଘାଟି ଉପରେ ଆକ୍ରମଣ କରିଛି। ଏହି ଅଭିଯାନରେ ଅସ୍ତ୍ରଶସ୍ତ୍ର ଭଣ୍ଡାର ଏବଂ ଲଜିଷ୍ଟିକ୍ କେନ୍ଦ୍ରକୁ ଟାର୍ଗେଟ୍ କରାଯାଇଥିଲା। ଆକ୍ରମଣରେ PMFର ଅତି କମରେ ୨୦ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) କହିଛି ଯେ, ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀଙ୍କ ଠିକଣାକୁ ଲକ୍ଷ୍ୟ କରି ଏହି ଅଭିଯାନ ଚଳାଯାଇଛି। ଅଭିଯୋଗ ଅନୁସାରେ, ଇସ୍ଲାମିକ୍ ରିଭଲ୍ୟୁସନାରି ଗାର୍ଡ କର୍ପସ୍ (IRGC)ର ନିର୍ଦ୍ଦେଶରେ ଏହି ସ୍ଥାନଗୁଡ଼ିକରୁ ଆମେରିକୀୟ ସେନା ଏବଂ ସାଉଦି ଆରବର ରଣନୈତିକ ସ୍ୱାର୍ଥ ବିରୋଧରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚାଲିଥିଲା। ଅନ୍ୟପଟେ, ଏହି ମିଳିତ ଆକ୍ରମଣର କିଛି ଘଣ୍ଟା ପରେ ଇରାନ ପକ୍ଷରୁ ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଜୋର୍ଡାନସ୍ଥିତ ଆମେରିକୀୟ ସାମରିକ ଘାଟିକୁ ଲକ୍ଷ୍ୟ କରି ଏକାଧିକ ମିସାଇଲ୍ ନିକ୍ଷେପ କରାଯାଇଥିଲା। ତେବେ ସମସ୍ତ ମିସାଇଲ୍କୁ ଆକାଶରେ ହିଁ ପ୍ରତିହତ କରାଯାଇଥିବା ଜଣାପଡ଼ିଛି।
ଏହି ଘଟଣା ପରେ ଇରାକ ପ୍ରଧାନମନ୍ତ୍ରୀ ଅଲୀ ଅଲ-ଜାଏଦି ନିଜର ନିର୍ଦ୍ଧାରିତ ସାଉଦି ଆରବ ଗସ୍ତକୁ ବାତିଲ କରିଛନ୍ତି। ସେହିପରି ଇରାକର ପୂର୍ବତନ ପ୍ରଧାନମନ୍ତ୍ରୀ ମହମ୍ମଦ ଶିଆ ଅଲ-ସୁଦାନି ଆମେରିକା-ସାଉଦି ଆରବର ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ସେ ଏହାକୁ ଇରାକର ସାର୍ବଭୌମତ୍ୱ ଓ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ଅଭିହିତ କରିଛନ୍ତି। ନୂତନ ଘଟଣାକ୍ରମ ପରେ ମଧ୍ୟପ୍ରାଚ୍ୟରେ ସାମରିକ ସଂଘର୍ଷ ଆହୁରି ତୀବ୍ର ହେବାର ଆଶଙ୍କା ବଢ଼ିଛି।

