ଚଳନ୍ତା ବସ୍ ସାମ୍ନାରେ ସାହସର ସହ ଛିଡା ହେଲେ ‘ଲେଡି ସିଂଘମ୍’; କହିଲେ– ‘ଭୟ ଲାଗିନି, କେବଳ କର୍ତ୍ତବ୍ୟ ପାଳନ କରିଛି’
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ଜଣେ ମହିଳା ପୁଲିସ ଅଧିକାରୀଙ୍କ ସାହସିକ ପଦକ୍ଷେପ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ରାଫିକ୍ ଏବଂ କ୍ରାଇମ୍ ବିଭାଗର ସହକାରୀ ପୁଲିସ କମିଶନର (ACP) ମୋନିକା ଶୁକ୍ଲା ଚଳନ୍ତା ବସ୍ ସାମ୍ନାରେ ଛିଡା ହୋଇ କୃଷକମାନଙ୍କୁ ବ୍ୟାରିକେଡ୍ ଭାଙ୍ଗି ସହରକୁ ପ୍ରବେଶ କରିବାରୁ ଅଟକାଇଥିଲେ। ତାଙ୍କ ଏହି ସାହସିକ ପଦକ୍ଷେପ ପରେ ସୋସିଆଲ ମିଡିଆରେ ତାଙ୍କୁ ‘ଭୋପାଳର ଲେଡି ସିଂଘମ୍’ ବୋଲି ସମ୍ବୋଧନ କରାଯାଉଛି।
ସୂଚନା ଅନୁସାରେ, କୃଷକମାନେ ନିଜ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ କରୁଥିବା ବେଳେ ପୁଲିସ ପକ୍ଷରୁ ସ୍କୁଲ୍ ବସ୍କୁ ଅତିରିକ୍ତ ବ୍ୟାରିକେଡ୍ ଭାବେ ରାସ୍ତାରେ ରଖାଯାଇଥିଲା। ପ୍ରଦର୍ଶନକାରୀମାନେ ବସ୍କୁ ଠେଲି ହଟାଇବାକୁ ଉଦ୍ୟମ କରିବା ସମୟରେ ମୋନିକା ଶୁକ୍ଲା ହଠାତ୍ ବସ୍ ସାମ୍ନାରେ ଠିଆ ହୋଇଯାଇଥିଲେ। ଏହା ଦେଖି ପ୍ରଦର୍ଶନକାରୀମାନେ ବସ୍କୁ ଆଗକୁ ବଢ଼ାଇବା ବନ୍ଦ କରିଥିଲେ। ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ତାଙ୍କ ସାହସିକତାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ଏସିପି ମୋନିକା ଶୁକ୍ଲା କହିଛନ୍ତି, ଏହା କୌଣସି ଅସାଧାରଣ କାମ ନୁହେଁ, ବରଂ ଜଣେ ପୁଲିସ ଅଧିକାରୀ ଭାବେ ତାଙ୍କର କର୍ତ୍ତବ୍ୟ ଥିଲା। ସେ କହିଛନ୍ତି, “ବସ୍ଟି ଆଗକୁ ଠେଲାଯାଉଥିବା ଦେଖି ମୁଁ ସ୍ୱତଃସ୍ଫୁର୍ତ୍ତ ଭାବେ ଏହାର ସାମ୍ନାରେ ଆସି ଛିଡା ହୋଇଯାଇଥିଲି । ମୋତେ ଭୟ ଲାଗିନଥିଲା। ଯାହା କରିବା ଦରକାର ଥିଲା, ମୁଁ ସେହି କାମ କରିଛି।” ସେ ଆହୁରି କହିଛନ୍ତି ଯେ, ପ୍ରଦର୍ଶନକାରୀମାନେ ଅପରାଧୀ ନୁହନ୍ତି, ତେଣୁ ସେମାନଙ୍କ ସହ ପୁଲିସକୁ ସଂଯମର ସହ ବ୍ୟବହାର କରିବା ଉଚିତ। ତେବେ ଆନ୍ଦୋଳନ ଭିତରେ ଅସାମାଜିକ ତତ୍ତ୍ୱ ପ୍ରବେଶ କରି ଆଇନଶୃଙ୍ଖଳା ବିଗାଡ଼ିବାର ଆଶଙ୍କା ଥାଏ ବୋଲି ସେ ସତର୍କ କରିଛନ୍ତି।

