Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଜଶାଳା ନିକଟସ୍ଥ ଦର୍ଗାରେ ଶୁକ୍ରବାର ନମାଜ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି; ମଧ୍ୟପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଧାର ଜିଲ୍ଲାର ବିବାଦୀୟ ଭୋଜଶାଳା ପରିସର ନିକଟରେ ଥିବା ଦର୍ଗାରେ ମୁସଲିମ ସମ୍ପ୍ରଦାୟକୁ ଶୁକ୍ରବାର ନମାଜ ପଢ଼ିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ ମଧ୍ୟପ୍ରଦେଶ ସରକାରଙ୍କୁ ପ୍ରତି ଶୁକ୍ରବାର ଦିନ ଅପରାହ୍ନ ୧ଟାରୁ ୩ଟା ମଧ୍ୟରେ ନମାଜ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ଜୁଲାଇ ୧୪ରେ ସୁପ୍ରିମକୋର୍ଟ ମାମଲାର ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଭୋଜଶାଳା ପରିସର ନିକଟରେ ଏକ ଅଲଗା ଖୋଲା ସ୍ଥାନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମୁସଲିମ ପକ୍ଷ ଅଭିଯୋଗ କରିଥିଲେ ଯେ, ସରକାର ସେମାନଙ୍କୁ ପ୍ରାୟ ୧.୩ କିଲୋମିଟର ଦୂରରେ ସ୍ଥାନ ଦେଉଛନ୍ତି। ସେମାନେ ମସଜିଦ ଦୃଶ୍ୟମାନ ହେଉଥିବା ନିକଟବର୍ତ୍ତୀ ସ୍ଥାନରେ ନମାଜ ପାଇଁ ଅନୁମତି ଦେବାକୁ ଅଦାଲତଙ୍କୁ ଅନୁରୋଧ କରିଥିଲେ।

ଶୁଣାଣି ସମୟରେ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ କେ.ଏମ୍. ନଟରାଜ କହିଥିଲେ ଯେ, ଆଇନଶୃଙ୍ଖଳା ବଜାୟ ରଖିବା ହେଉଛି ସରକାରଙ୍କ ପ୍ରାଥମିକତା । ଏହାର ଜବାବରେ ବିଚାରପତିମାନେ କହିଥିଲେ, ଧାର୍ମିକ ଅଧିକାରର ସୁରକ୍ଷା ସହ ଆଇନଶୃଙ୍ଖଳା ରକ୍ଷା କରିବା ମଧ୍ୟ ରାଜ୍ୟର ସାମ୍ବିଧାନିକ ଦାୟିତ୍ୱ। ଉଲ୍ଲେଖଯୋଗ୍ୟ, ମେ ୧୫ରେ ମଧ୍ୟପ୍ରଦେଶ ହାଇକୋର୍ଟ ଭୋଜଶାଳା-କମାଲ ମୌଲା ମସଜିଦ ପରିସରକୁ ମା’ ସରସ୍ୱତୀଙ୍କ ମନ୍ଦିର ବୋଲି ରାୟ ଦେଇଥିବା ସହ ପୁରାତତ୍ତ୍ୱ ବିଭାଗର ସେହି ପୁରୁଣା ଆଦେଶକୁ ବାତିଲ କରିଥିଲେ, ଯେଉଁଥିରେ ମୁସଲିମମାନଙ୍କୁ ଶୁକ୍ରବାର ନମାଜ ପଢ଼ିବାକୁ ଅନୁମତି ଦିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories