ଅଷ୍ଟ୍ରେଲିଆ ଯାଇଥିବା କହି ୨ ବର୍ଷ ଲୁଚାଇଲେ ହତ୍ୟା! ସ୍ୱାମୀଙ୍କୁ ସାଇନାଇଡ୍ ଦେଇ ମାରି ପୋତିଦେଲେ ସ୍ତ୍ରୀ ଓ ପ୍ରେମିକ
ଗୁଜରାଟର ଜାମନଗରରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଦୁଇ ବର୍ଷରୁ ଅଧିକ ସମୟ ଧରି ନିଖୋଜ ଥିବା ଜିଗ୍ନେଶ ନାମକ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଓ ପ୍ରେମିକ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ କହିଛି, ମଦରେ ସାଇନାଇଡ୍ ମିଶାଇ ତାଙ୍କୁ ହତ୍ୟା କରିବା ପରେ ସହର ଉପକଣ୍ଠର ଏକ କାରଖାନା ପରିସରରେ ପ୍ରାୟ ୧୨ ଫୁଟ୍ ଗଭୀର ଗାତ ଖୋଳି ମୃତଦେହକୁ ପୋତି ଦିଆଯାଇଥିଲା।
ଅଭିଯୁକ୍ତ ସ୍ତ୍ରୀ ପରିବାର ଲୋକଙ୍କୁ ବାରମ୍ବାର କହୁଥିଲେ ଯେ, ଜିଗ୍ନେଶ କାମ ପାଇଁ ଅଷ୍ଟ୍ରେଲିଆ ଯାଇଛନ୍ତି ଏବଂ ସେଠାର କମ୍ପାନୀ ଫୋନରେ କଥା ହେବାକୁ ଅନୁମତି ଦିଏନାହିଁ। ଏପରିକି ସ୍ଥାୟୀ ବାସିନ୍ଦା ମାନ୍ୟତା ମିଳିବା ପରେ ସେ ଭାରତ ଫେରିବେ ବୋଲି ମଧ୍ୟ କହି ପରିବାରକୁ ବିଶ୍ୱାସ କରାଇଥିଲେ। ଘଟଣାର ପର୍ଦ୍ଦାଫାସ ସେତେବେଳେ ହୋଇଥିଲା, ଯେତେବେଳେ ଜିଗ୍ନେଶଙ୍କ ଜଣେ ସମ୍ପର୍କୀୟ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ତାଙ୍କ ସମ୍ପର୍କ ସୂଚନା ମାଗିଥିଲେ।
ପୁଲିସର ଚାପ ବଢ଼ିବା ପରେ ମହିଳା ଏବଂ ତାଙ୍କ କଥିତ ପ୍ରେମିକ ହତ୍ୟାକାଣ୍ଡ ସ୍ୱୀକାର କରିଥିବା ପୁଲିସ କହିଛି। ଅଭିଯୋଗ ଅନୁସାରେ, ୨୦୨୪ ମସିହା ମେ’ ମାସରେ ଏହି ହତ୍ୟା ଘଟିଥିଲା। ବର୍ତ୍ତମାନ କାରଖାନା ପରିସରରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ଫରେନ୍ସିକ୍ ବିଶେଷଜ୍ଞ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହର ଅବଶେଷ ଉଦ୍ଧାର ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

