ଜୋର୍ଡାନ ସାମରିକ ଘାଟି ଉପରେ ଆକ୍ରମଣର ପ୍ରତିଶୋଧ, ଇରାନ ଉପରେ ଆମେରିକାର ବିମାନ ଆକ୍ରମଣ
ମଧ୍ୟପ୍ରାଚ୍ୟରେ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିଛି। ଜୋର୍ଡାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣର ଗୋଟିଏ ଦିନ ପରେ ଗୁରୁବାର ଭୋର ପ୍ରାୟ ୫ଟା ୩୦ ମିନିଟ୍ରେ ଆମେରିକା ଇରାନ ଉପରେ ବିମାନ ଆକ୍ରମଣ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ବୈଠକ ପରେ ଏହି ଆକ୍ରମଣ ହୋଇଥିବାବେଳେ, ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ସୋସିଆଲ ମିଡିଆରେ ଏହାର ପୁଷ୍ଟି କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଇରାନ ବିରୋଧରେ ବଡ଼ ଧରଣର ପ୍ରତିଆକ୍ରମଣର ଚେତାବନୀ ଦେଇଥିଲେ।
ଇରାନର ସରକାରୀ ଗଣମାଧ୍ୟମ ଅନୁସାରେ, ଦେଶର ଦକ୍ଷିଣ ଅଞ୍ଚଳରେ ଥିବା ବନ୍ଦର ଆବାସ, ଆବୁ ମୁସା, କିଶ୍ ଓ କ୍ୱେଶମ୍ ଦ୍ୱୀପରେ ଏକାଧିକ ବିସ୍ଫୋରଣ ଘଟିଛି। ହର୍ମୁଜ୍ ଅଞ୍ଚଳର କ୍ୱେଶମ୍ ଦ୍ୱୀପରେ ଏକ ଆବାସିକ କୋଠା ଉପରେ ଆକ୍ରମଣ ପରେ ଦୁଇଜଣ ଭଗ୍ନାବଶେଷ ତଳେ ଫସି ରହିଥିବା ସୂଚନା ମିଳିଛି। ଆମେରିକୀୟ ଆକ୍ରମଣରେ ଇରାନର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦାବି କରାଯାଇଛି।
ଏହା ମଧ୍ୟରେ ଇଜିପ୍ଟର ଡାମିଏଟା ବନ୍ଦରରେ ଥିବା ଏକ ଆମେରିକୀୟ ଗ୍ୟାସ୍ ଟ୍ୟାଙ୍କର ଉପରେ ମଧ୍ୟ ଡ୍ରୋନ୍ ଆକ୍ରମଣ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ, ଡ୍ରୋନ୍ଟି ସିଧାସଳଖ ଜାହାଜକୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲା। ତେବେ ଏହି ଘଟଣାରେ କୌଣସି ନାବିକଙ୍କ ମୃତ୍ୟୁ ହୋଇନଥିବାବେଳେ ଜାହାଜର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ଘଟଣାର ତଦନ୍ତ ସୁରକ୍ଷା ଏଜେନ୍ସିମାନେ ଆରମ୍ଭ କରିଛନ୍ତି।

