ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପରେ କ୍ୟାବିନେଟ୍ ଅଦଳବଦଳ ଚର୍ଚ୍ଚା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ସାକ୍ଷାତକାରର ଫଟୋ ପ୍ରକାଶ କରାଯାଇଥିଲେ ମଧ୍ୟ ବୈଠକରେ କେଉଁ ବିଷୟରେ ଆଲୋଚନା ହୋଇଥିଲା, ସେ ସମ୍ପର୍କରେ କୌଣସି ସରକାରୀ ସୂଚନା ଦିଆଯାଇନାହିଁ।
ଏହି ସାକ୍ଷାତକାର ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଏବଂ ମଧ୍ୟପ୍ରାଚ୍ୟର ବର୍ତ୍ତମାନ ସୁରକ୍ଷା ପରିସ୍ଥିତି ମଧ୍ୟରେ ହୋଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (CCS)ର ସ୍ୱତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରି ଭାରତର ଜଳାଣି ସୁରକ୍ଷା, ସାର ଯୋଗାଣ ଏବଂ ଦେଶ ତଥା ବିଦେଶରେ ଥିବା ଭାରତୀୟଙ୍କ ସୁରକ୍ଷା ନେଇ ସମୀକ୍ଷା କରିଥିଲେ। ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକୁ ସମନ୍ୱୟ ବଢ଼ାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ତେବେ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରପତିଙ୍କ ସହ ସାକ୍ଷାତକୁ ନେଇ କ୍ୟାବିନେଟ୍ ଅଦଳବଦଳ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାକୁ ନେଇ ସରକାର କିମ୍ବା ରାଷ୍ଟ୍ରପତି ଭବନ ପକ୍ଷରୁ କୌଣସି ଔପଚାରିକ ପୁଷ୍ଟି କରାଯାଇନାହିଁ। ତେଣୁ ବର୍ତ୍ତମାନ ସୁଦ୍ଧା କ୍ୟାବିନେଟ୍ ପୁନର୍ଗଠନ ସମ୍ପର୍କିତ ସମସ୍ତ ଆଲୋଚନା କେବଳ ରାଜନୈତିକ କଳ୍ପନା ଓ ଚର୍ଚ୍ଚା ମଧ୍ୟରେ ସୀମିତ ରହିଛି।

