ଇରାନ ଉପରେ ନୂଆ ଆକ୍ରମଣ ସ୍ଥଗିତ ରଖିଲେ ଟ୍ରମ୍ପ, ଶୀଘ୍ର ପରମାଣୁ ଚୁକ୍ତି ପାଇଁ ଦେଲେ ସୁଯୋଗ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ପ୍ରସ୍ତାବିତ ନୂଆ ସାମରିକ ଆକ୍ରମଣକୁ ଫିଲହାଲ ସ୍ଥଗିତ ରଖିଥିବା ଘୋଷଣା କରିଛନ୍ତି। ସେ କହିଛନ୍ତି, ଯଦି ଇରାନ ଶୀଘ୍ର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଏକ ଚୁକ୍ତି କରିବାକୁ ରାଜି ହୁଏ ଏବଂ ହର୍ମୁଜ୍ ସାଗର ପଥକୁ ପୁଣିଥରେ ଖୋଲିଦିଏ, ତେବେ ଆକ୍ରମଣର ଆବଶ୍ୟକତା ପଡ଼ିବ ନାହିଁ। ଟ୍ରମ୍ପ ସୋସିଆଲ୍ ମିଡିଆରେ କହିଛନ୍ତି ଯେ, ଇରାନ ଏବଂ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶମାନେ ଏକ ଚୁକ୍ତି ପାଇଁ ସମୟ ମାଗିଥିବାରୁ ସେ ଆକ୍ରମଣ ବାତିଲ କରିବାକୁ ରାଜି ହୋଇଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଇସ୍ରାଏଲ ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରିଛି।
ଅନ୍ୟପଟେ ଇରାନ ସ୍ପଷ୍ଟ କରିଛି ଯେ, ଯଦି ଆମେରିକା କିମ୍ବା ଇସ୍ରାଏଲ ପକ୍ଷରୁ କୌଣସି ନୂଆ ଆକ୍ରମଣ ହୁଏ, ତେବେ ତାହାର କଡ଼ା ଜବାବ ଦିଆଯିବ। ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ପାକିସ୍ତାନ, ତୁର୍କୀ ଓ ସାଉଦି ଆରବର ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ଯେକୌଣସି ଆକ୍ରମଣର ଉଚିତ ପ୍ରତିଶୋଧ ନିଆଯିବ ବୋଲି କହିଛନ୍ତି। ଇରାନ ସହ ଜଡ଼ିତ ଗଣମାଧ୍ୟମ ମଧ୍ୟ ଚେତାବନୀ ଦେଇଛି ଯେ, ଯଦି ଇରାନର ଊର୍ଜା ଭିତ୍ତିଭୂମିକୁ ଟାର୍ଗେଟ କରାଯାଏ, ତେବେ ସାଉଦି ଆରବ, ୟୁଏଇ, କତାର ଓ ଇସ୍ରାଏଲର ତୈଳ ଏବଂ ଗ୍ୟାସ କ୍ଷେତ୍ର ଉପରେ ମଧ୍ୟ ଆକ୍ରମଣ ହୋଇପାରେ।
ଏପରି ସ୍ଥିତିରେ ବିଶ୍ୱ ଊର୍ଜା ବଜାରରେ ଚିନ୍ତା ବଢ଼ିଛି। ହର୍ମୁଜ୍ ସାଗର ପଥ ଦେଇ ଜାହାଜ ଚଳାଚଳ ପ୍ରାୟ ପ୍ରଭାବିତ ହୋଇଥିବା ବେଳେ ଅଶୋଧିତ ତୈଳ ଦର ମଧ୍ୟ ଉଚ୍ଚ ସ୍ତରରେ ରହିଛି। ୟେମେନର ହୁଥି ବିଦ୍ରୋହୀମାନେ ବାବ୍-ଏଲ୍-ମାଣ୍ଡେବ୍ ସାଗର ପଥକୁ ମଧ୍ୟ ଟାର୍ଗେଟ କରିବାର ଧମକ ଦେଇଛନ୍ତି। ଓମାନ ଉପକୂଳରେ ଦୁଇଟି ତେଲବାହୀ ଜାହାଜ ନିକଟରେ ବିସ୍ଫୋରଣ ଘଟଣା ମଧ୍ୟ ରିପୋର୍ଟ ହୋଇଛି। ଏହା ଫଳରେ ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତି ସହ ବିଶ୍ୱ ଅର୍ଥନୀତିକୁ ନେଇ ଚିନ୍ତା ବଢ଼ିଛି।

