ସଂସଦରେ ଆଜି ତୃତୀୟ ସପ୍ତାହର କାର୍ଯ୍ୟବାହୀ: ଲୋକସଭାରେ ଦୁଇଟି ନୂଆ ବିଲ୍ ଉପସ୍ଥାପନ, ଦେଖିବାକୁ ମିଳିପାରେ ବିରୋଧୀଙ୍କ ହଙ୍ଗାମା
ନୂଆଦିଲ୍ଲୀ: ସଂସଦର ଚଳିତ ବର୍ଷା ଅଧିବେଶନର ତୃତୀୟ ସପ୍ତାହ ଆଜିଠାରୁ ଆରମ୍ଭ ହେଉଛି। ଏହି ଅବସରରେ କେନ୍ଦ୍ର ସରକାର ଲୋକସଭା ଓ ରାଜ୍ୟସଭାରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ ଏବଂ ପାରିତ କରିବାକୁ ପ୍ରସ୍ତୁତ ଥିବାବେଳେ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ପକ୍ଷରୁ ପୁଣି ହଙ୍ଗାମା ହେବାର ସମ୍ଭାବନା ରହିଛି।
ଗତ ଦୁଇ ସପ୍ତାହ ଧରି ପ୍ରଶ୍ନପତ୍ର ଲିକ୍, ଜନ୍ତର ମନ୍ତରରେ ବିକ୍ଷୋଭକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଏବଂ ରାମ ମନ୍ଦିର ଦାନ ଚୋରି ଭଳି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଲଗାତାର ସରକାରଙ୍କୁ ଘେରିଥିଲେ। ଯାହା ଫଳରେ ଉଭୟ ସଦନରେ ବାରମ୍ବାର କାର୍ଯ୍ୟବାହୀରେ ବାଧାପ୍ରାପ୍ତ ହୋଇଥିଲା। ଏବଂ ଗୃହର ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଥିଲା |
ଆଜି ଲୋକସଭାରେ କେନ୍ଦ୍ରମନ୍ତ୍ରୀ ରାଓ ଇନ୍ଦରଜିତ ସିଂହ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନ୍ଷ୍ଟିଟ୍ୟୁଟ୍ ବିଲ୍-୨୦୨୬ ଉପସ୍ଥାପନ କରିବେ। ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍-୨୦୨୬କୁ ବିଚାର ଓ ପାରିତ ପାଇଁ ସଦନରେ ଆଗତ କରିବେ। ଅନ୍ୟପଟେ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଜି କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ବିକାଶ (ସଂଶୋଧନ) ବିଲ୍-୨୦୨୬ ଉପସ୍ଥାପନ କରିବେ। ତେବେ ବିରୋଧୀଙ୍କ ବିରୋଧ ଯୋଗୁଁ ଆଜି ମଧ୍ୟ ସଂସଦରେ ତୀବ୍ର ବିବାଦ ଓ ହଙ୍ଗାମା ହେବାର ସମ୍ଭାବନା ରହିଛି।

