ପରିସ୍ରା ପାଇଁ ଗାଡ଼ି ଅଟକାଇବାକୁ ମନା କରିବାରୁ EOଙ୍କୁ ହତ୍ୟା! ବିଧାୟକଙ୍କ ନାଁରେ ପତ୍ନୀଙ୍କ ସଙ୍ଗୀନ ଅଭିଯୋଗ
ବିହାର:ବିହାରର ସାସାରାମ ମ୍ୟୁନିସିପାଲ୍ କାଉନସିଲ୍ର କାର୍ଯ୍ୟନିର୍ବାହୀ ଅଧିକାରୀ (EO) ବିମଳ କୁମାରଙ୍କ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ମୋଡ଼ ଆସିଛି। ପୁଲିସର ସୂଚନା ଅନୁସାରେ, ତାଙ୍କ ଡ୍ରାଇଭର ମିଥିଲେଶ କୁମାର ଜେରା ବେଳେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ପରିସ୍ରା ପାଇଁ ଗାଡ଼ି ଅଟକାଇବାକୁ ଚାହିଁଥିଲେ ମଧ୍ୟ EO ମନା କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା ଏବଂ କ୍ରୋଧରେ ଡ୍ରାଇଭର ଗାଡ଼ିରେ ଥିବା ଲୁହା ରଡ୍ରେ ଆକ୍ରମଣ କରିଥିବା ପୁଲିସ କହିଛି। ପରେ ଘଟଣାକୁ ସଡ଼କ ଦୁର୍ଘଟଣା କିମ୍ବା ଦୁର୍ବୃତ୍ତଙ୍କ ଆକ୍ରମଣ ଭାବେ ଦେଖାଇବାକୁ ସେ ଚେଷ୍ଟା କରିଥିବା ମଧ୍ୟ ତଦନ୍ତରୁ ସାମ୍ନାକୁ ଆସିଛି।
ମାଗଧ ରେଞ୍ଜ ଆଇଜି ବିକାଶ ବୈଭବ କହିଛନ୍ତି, ଡ୍ରାଇଭରଙ୍କ ବୟାନରେ ବାରମ୍ବାର ପରିବର୍ତ୍ତନ ଏବଂ ତାଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ କଠୋର ପଚରାଉଚରାରେ ସେ ଅପରାଧ ସ୍ୱୀକାର କରିଥିବା ପୁଲିସ ଦାବି କରିଛି। ଡ୍ରାଇଭର କହିଛନ୍ତି ଯେ, ଦୀର୍ଘ ସମୟ କାମ, ମାନସିକ ଚାପ ଏବଂ EOଙ୍କ ସହ ବାରମ୍ବାର ବିବାଦ ଯୋଗୁଁ ସେ କ୍ଷୁବ୍ଧ ଥିଲେ। ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଇଥିବା ବେଳେ ହତ୍ୟାରେ ବ୍ୟବହୃତ ଲୁହା ରଡ୍କୁ ଖୋଜିବା ପାଇଁ ନଦୀରେ ସର୍ଚ୍ଚ ଅପରେସନ୍ ଚାଲିଛି।
ଏହି ମାମଲାରେ ଏବେ ରାଜନୈତିକ ବିବାଦ ମଧ୍ୟ ଜୋର ଧରିଛି। ମୃତ EOଙ୍କ ପତ୍ନୀ ବବିତା ଅଭିଯୋଗ କରିଛନ୍ତି ଯେ, ଏଲ୍ଜେପି (ରାମ ବିଲାସ) ବିଧାୟକ ସୋନୁ ସିଂହ ବାରମ୍ବାର ତାଙ୍କ ସ୍ୱାମୀଙ୍କୁ ୫୦ ଲକ୍ଷ ଓ ପରେ ୨୫ ଲକ୍ଷ ଟଙ୍କା ଦାବି କରୁଥିଲେ ଏବଂ ଏହି ହତ୍ୟା ପଛରେ ତାଙ୍କର ହାତ ଥିବା ଅଭିଯୋଗ କରିଛନ୍ତି। ତେବେ ବିଧାୟକ ସୋନୁ ସିଂହ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ସେ କୌଣସି ଟଙ୍କା ଦାବି କରିନାହାନ୍ତି ଏବଂ ଏହି ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ନିରପେକ୍ଷ ତଦନ୍ତ ମାଧ୍ୟମରେ ସତ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

