ମୁମ୍ବାଇରେ ଜେନ୍-ଜି ଓ ଜେନ୍-ଆଲ୍ଫାଙ୍କ ସହ ଆଲୋଚନା କରିବେ ଆରଏସଏସ ମୁଖ୍ୟ ମୋହନ ଭାଗବତ!
ମୁମ୍ବାଇ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘଚାଳକ ମୋହନ ଭାଗବତ ଆସନ୍ତା ଅଗଷ୍ଟ ୬ ତାରିଖରେ ମୁମ୍ବାଇସ୍ଥିତ ନୀତା ମୁକେଶ ଅମ୍ବାନୀ କଲ୍ଚରାଲ୍ ସେଣ୍ଟର (NMACC)ରେ ଜେନ୍-ଜି ଓ ଜେନ୍-ଆଲ୍ଫା ପିଢ଼ିର ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏହି କାର୍ଯ୍ୟକ୍ରମ ଇଣ୍ଟରନ୍ୟାସନାଲ୍ ମୁଭମେଣ୍ଟ ଟୁ ୟୁନାଇଟ୍ ନେସନ୍ସ (IIMUN)ର ୧୫ତମ ବାର୍ଷିକୀ ଅବସରରେ ଆୟୋଜିତ ବାର୍ଷିକ ଚାମ୍ପିୟନଶିପ୍ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନର ଅଂଶ ହେବ।
ଏହି ସମ୍ମିଳନୀରେ ଦେଶର ୧୦୦ରୁ ଅଧିକ ସହରରୁ ଆସିଥିବା ୧୫ରୁ ୧୯ ବର୍ଷ ବୟସର ପ୍ରାୟ ୨,୦୦୦ ଛାତ୍ରଛାତ୍ରୀ ସାମିଲହେବେ । ସେମାନେ ବିଭିନ୍ନ ସ୍କୁଲ ଓ କଲେଜର ପ୍ରତିନିଧିତ୍ୱ କରି ସ୍ଥାନୀୟ, ଜାତୀୟ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ବିତର୍କରେ ଅଂଶଗ୍ରହଣ କରିବେ। ଏଥର ସମ୍ମିଳନୀର ମୁଖ୍ୟ ବିଷୟ ରହିଛି ‘ଭାରତୀୟ ଦୃଷ୍ଟିକୋଣରୁ ବିଶ୍ୱକୁ ଏକତ୍ର କରିବାରେ ଯୁବପିଢ଼ିର ଭୂମିକା’।
IIMUNର ପ୍ରତିଷ୍ଠାତା ଋଷଭ ଶାହ କହିଛନ୍ତି, ନେତୃତ୍ୱ କେବଳ ପରବର୍ତ୍ତୀ ପିଢ଼ିକୁ ପଥ ଦେଖାଇବା ନୁହେଁ, ବରଂ ସେମାନଙ୍କ କଥା ଶୁଣିବା ମଧ୍ୟ ଅଟେ। ୨୦୧୧ରେ ପ୍ରତିଷ୍ଠିତ IIMUN ବର୍ତ୍ତମାନ ୨୭୫ଟି ଭାରତୀୟ ସହର ଓ ୪୦ଟି ଦେଶରେ କାର୍ଯ୍ୟକ୍ରମ ଆୟୋଜନ କରୁଛି। ସଂସ୍ଥା ଦାବି କରିଛି ଯେ, ଏହାର କାର୍ଯ୍ୟକ୍ରମ ମାଧ୍ୟମରେ ଏପର୍ଯ୍ୟନ୍ତ ୭.୫ କୋଟିରୁ ଅଧିକ ଯୁବପିଢ଼ିଙ୍କ ପାଖରେ ପହଞ୍ଚିବା ସହ ୧.୫ ଲକ୍ଷରୁ ଅଧିକ ସ୍କୁଲ ଓ କଲେଜ ସହ ଯୋଡ଼ି ହୋଇଛି। ଏହାର ପରାମର୍ଶଦାତା ମଣ୍ଡଳୀରେ ଅଜୟ ପିରାମଲ, ଦୀପକ ପାରେଖ, ନାଦିର ଗୋଦରେଜ, ଶଶୀ ଥରୁର, ପୂର୍ବତନ ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼, କରଣ ଜୋହର ଓ ପି.ଟି. ଉଷାଙ୍କ ଭଳି ବିଶିଷ୍ଟ ବ୍ୟକ୍ତିତ୍ୱ ସାମିଲ ଅଛନ୍ତି।

