Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରମୁଖ କମ୍ପାନୀ ଡାବରକୁ FSSAIର କଡ଼ା ନିର୍ଦ୍ଦେଶ! ‘100% ଶୁଦ୍ଧ’ ଓ ‘ଅର୍ଗାନିକ୍’ ଦାବିକୁ ନେଇ ୧୫ ଦିନ ମଧ୍ୟରେ ମାଗିଲା ରିପୋର୍ଟ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଖାଦ୍ୟ ଉତ୍ପାଦକ କମ୍ପାନୀ ଡାବର ପାଇଁ ବଢ଼ିଛି ଅଡ଼ୁଆ। କମ୍ପାନୀର କିଛି ଉତ୍ପାଦରେ ବ୍ୟବହୃତ ‘100% ନ୍ୟାଚୁରାଲ’, ‘100% ଶୁଦ୍ଧ’ ଓ ‘100% ଅର୍ଗାନିକ୍’ ଭଳି ଦାବିକୁ ନେଇ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) କଡ଼ା ଆପତ୍ତି ଉଠାଇଛି। ଉପଭୋକ୍ତାଙ୍କୁ ଭ୍ରମିତ କରିପାରୁଥିବା ଏଭଳି ଦାବି ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ସହ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ନେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ୧୫ ଦିନ ମଧ୍ୟରେ ଆକ୍ସନ୍ ଟେକନ୍ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଛି।

FSSAIର କହିବା ଅନୁସାରେ, ‘100% ପ୍ୟୁର’ କିମ୍ବା ‘100% ଅର୍ଗାନିକ୍’ ଭଳି ଦାବି କରିବା ପାଇଁ ନିର୍ଦ୍ଧାରିତ ବୈଜ୍ଞାନିକ ପ୍ରମାଣ ଓ ଆଇନଗତ ମାନଦଣ୍ଡ ପୂରଣ କରିବା ଆବଶ୍ୟକ। ଏଭଳି ନିରପେକ୍ଷ ଦାବି ଗ୍ରାହକଙ୍କୁ ବିଭ୍ରାନ୍ତ କରିପାରେ ବୋଲି ନିୟାମକ ସଂସ୍ଥା ମତ ପ୍ରକାଶ କରିଛି। ତେଣୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ମାମଲାର ତଦନ୍ତ କରି କମ୍ପାନୀଠାରୁ ସ୍ପଷ୍ଟୀକରଣ ମାଗିବା ସହ ଆବଶ୍ୟକ ହେଲେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ କୁହାଯାଇଛି।

FSSAIର ଏହି ନିର୍ଦ୍ଦେଶ ପରିସରରେ ଡାବରର ମହୁ, ଗାଈ ଘିଅ, ଅର୍ଗାନିକ୍ ଆପଲ୍ ସାଇଡର ଭିନେଗାର, ଭର୍ଜିନ୍ କୋକୋନଟ ଅଏଲ୍, ରାଶି ତେଲ, କୋକୋନଟ ୱାଟର ଓ କୋକୋନଟ ମିଲ୍କ ଭଳି ଅନେକ ଉତ୍ପାଦ ସାମିଲ ଥିବା ଜଣାପଡ଼ିଛି। କିଛି ଉତ୍ପାଦରେ ବୈଧ ଅନୁମୋଦନ ବିନା ଜୈବିକ ଭାରତ ଲୋଗୋ ବ୍ୟବହାର କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। FSSAI କହିଛି, ଏହା ପୂର୍ବରୁ ମଧ୍ୟ କମ୍ପାନୀକୁ ନୋଟିସ୍ ଜାରି କରାଯାଇଥିଲା। କିନ୍ତୁ ସନ୍ତୋଷଜନକ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ ନହେବାରୁ ବର୍ତ୍ତମାନ କଠୋର ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଘଟଣା ପରେ ଖାଦ୍ୟ ପଦାର୍ଥର ଲେବେଲିଂ, ବିଜ୍ଞାପନ ଓ ଗ୍ରାହକଙ୍କ ପ୍ରତି କରାଯାଉଥିବା ଦାବିକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories