ଗିରଫର କିଛି ଘଣ୍ଟା ପରେ ମୁକୁଳିଲେ ଉଦୟନିଧି ଷ୍ଟାଲିନ୍! ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମିଳିଲା ଜାମିନ
ତାମିଲନାଡୁ: ତାମିଲନାଡୁ ବିଧାନସଭାର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ୍ଙ୍କୁ ଗିରଫ କରିବାର କିଛି ଘଣ୍ଟା ପରେ ମଦ୍ରାସ ହାଇକୋର୍ଟ ତାଙ୍କୁ ମୁକ୍ତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିନେତ୍ରୀ ତ୍ରିଶାଙ୍କୁ ନେଇ କରିଥିବା କଥିତ ଦ୍ୱିଅର୍ଥବୋଧକ ମନ୍ତବ୍ୟକୁ କେନ୍ଦ୍ର କରି ପୋଲିସ ତାଙ୍କୁ ପଚରାଉଚରା ପାଇଁ ଗିରଫ କରିଥିଲା। ହାଇକୋର୍ଟ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଆବଶ୍ୟକ ପଡ଼ିଲେ ପୋଲିସ ସମ୍ମୁଖରେ ହାଜର ହେବାକୁ କହିଛନ୍ତି।
ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥିତ ଆଡଭୋକେଟ୍ ଜେନେରାଲ୍ ବିଜୟ ନାରାୟଣ କହିଥିଲେ ଯେ, ଉଦୟନିଧିଙ୍କୁ ପଚରାଉଚରା ପାଇଁ ତଞ୍ଜାଭୁର ନିଆଯାଇଥିଲା, କିନ୍ତୁ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇବାର କୌଣସି ଉଦ୍ଦେଶ୍ୟ ସରକାରଙ୍କର ନାହିଁ। କେବଳ ପଚରାଉଚରା ପରେ ଷ୍ଟେସନ ବେଲ୍ରେ ଛାଡ଼ିଦେବା ଯୋଜନା ଥିବା ସେ କୋର୍ଟକୁ ଜଣାଇଥିଲେ। ଏହାପୂର୍ବରୁ ପୋଲିସ ତାଙ୍କ ନୀଲାଙ୍କରାଇସ୍ଥିତ ବାସଭବନରେ ପହଞ୍ଚିବା ପରେ ଉଦୟନିଧିଙ୍କ ପକ୍ଷରୁ ଆଗୁଆ ଜାମିନ ପାଇଁ ଆବେଦନ ଦାଖଲ କରାଯାଇଥିଲା।
ଉଦୟନିଧିଙ୍କ ବିରୋଧରେ ଅଶ୍ଳୀଳ ଶବ୍ଦ ପ୍ରୟୋଗ, ମହିଳାଙ୍କ ମର୍ଯ୍ୟାଦା ହାନି, ଦଙ୍ଗା ଉସକାଇବା, ଆପରାଧିକ ଧମକ ଦେବା ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ତାମିଲନାଡୁ ମହିଳା ଉତ୍ପୀଡ଼ନ ନିଷେଧ ଆଇନର ବ୍ୟବସ୍ଥା ମଧ୍ୟ ଏହି ମାମଲାରେ ପ୍ରୟୋଗ କରାଯାଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ TVK ପୋଲିସ ଓ ଜାତୀୟ ମହିଳା ଆୟୋଗ (NCW)ରେ ଅଭିଯୋଗ ଦାଖଲ କରି ଉଦୟନିଧିଙ୍କ ବିରୋଧରେ କଠୋର ପଦକ୍ଷେପ ଦାବି କରିଛି। ଉଦୟନିଧିଙ୍କ ଗିରଫ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ DMK କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

