Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟ ହଟିବା ଘଟଣାରେ କେନ୍ଦ୍ରର କଡ଼ା ଆଭିମୁଖ୍ୟ! କାଲି ମେଟାର ପବ୍ଲିକ୍ ପଲିସି ମୁଖ୍ୟଙ୍କୁ ଜବାବ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଏକ ପୋଷ୍ଟ କିଛି ସମୟ ପାଇଁ ସୋସିଆଲ ମିଡିଆରୁ ହଟିଯିବା ଘଟଣାକୁ ନେଇ କେନ୍ଦ୍ର ସରକାର ମେଟା କର୍ତ୍ତୃପକ୍ଷଙ୍କୁ ତଲବ କରିଛନ୍ତି। ସରକାରଙ୍କ ପକ୍ଷରୁ ମେଟାର ପବ୍ଲିକ୍ ପଲିସି ମୁଖ୍ୟ ଜୋଏଲ କାପ୍ଲାନ୍ ଏବଂ ଇନଷ୍ଟାଗ୍ରାମର ଜଣେ ବରିଷ୍ଠ ବୈଷୟିକ ଅଧିକାରୀଙ୍କୁ ଅଗଷ୍ଟ ୫ରେ ବୈଠକ ପାଇଁ ଡକାଯାଇଛି। ଏହି ବୈଠକରେ ମେଟାର ଆଲଗୋରିଦମ୍ କିପରି କାମ କରେ ଏବଂ କେଉଁ ଆଧାରରେ କିଛି ପୋଷ୍ଟ ଅଧିକ ଦୃଶ୍ୟମାନ ହୁଏ, ସେନେଇ ସରକାର ସ୍ପଷ୍ଟୀକରଣ ମାଗିବେ।

ସରକାରୀ ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟ ହଟିବା ଘଟଣାକୁ ମେଟା ‘ଟେକ୍ନିକାଲ୍ ଗ୍ଲିଚ୍’ ବୋଲି କହିଥିଲେ ମଧ୍ୟ, ଏହାର ସମ୍ପୂର୍ଣ୍ଣ ଲିଖିତ ବ୍ୟାଖ୍ୟା ଦେବାକୁ କମ୍ପାନୀକୁ କୁହାଯିବ। ଏହା ସହିତ ଏହି ଘଟଣା ପାଇଁ ମେଟା ଲିଖିତ କ୍ଷମାପ୍ରାର୍ଥନା ମଧ୍ୟ ଦେବାକୁ ସରକାର ଚାହୁଁଥିବା ସୂଚନା ମିଳିଛି। ସେହିପରି କେତେକ ସୋସିଆଲ ମିଡିଆ ପୋଷ୍ଟ, ବିଶେଷକରି ସରକାର ବିରୋଧୀ ବିଷୟବସ୍ତୁ ଅଧିକ ପ୍ରଚାର ପାଉଥିବା ନେଇ ମିଳିଥିବା ଅଭିଯୋଗକୁ ମଧ୍ୟ ବୈଠକରେ ଉଠାଯିବ।

ଆଇଟି ସଚିବ ଏସ୍‌. କୃଷ୍ଣନ୍ ସୂଚନା ଦେଇଛନ୍ତି ଯେ ଅଗଷ୍ଟ ୫ ଓ ୬ ତାରିଖରେ ମେଟା ପ୍ରତିନିଧିମାନେ ସରକାରୀ ଅଧିକାରୀଙ୍କ ସହ ବୈଠକ କରିବେ। ଭାରତୀୟ ଆଇନର ପାଳନ, କଣ୍ଟେଣ୍ଟ ଅପସାରଣ ନୀତି, କୃତ୍ରିମ ବୁଦ୍ଧିମତ୍ତା (AI) ଦ୍ୱାରା ସୃଷ୍ଟ ସୂଚନା, ପ୍ରମୁଖ ବ୍ୟକ୍ତିତ୍ୱଙ୍କ ପୋଷ୍ଟ ସୁରକ୍ଷା ଏବଂ କଣ୍ଟେଣ୍ଟ ସୁପାରିଶ ବ୍ୟବସ୍ଥା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ମେଟାର କଣ୍ଟେଣ୍ଟ ଆମ୍ପ୍ଲିଫିକେସନ୍ ବ୍ୟବସ୍ଥା ଓ ତ୍ରୁଟିପୂର୍ଣ୍ଣ ପୋଷ୍ଟ ହଟାଇବା ଘଟଣାକୁ ରୋକିବା ପାଇଁ କମ୍ପାନୀ କେଉଁ ସୁରକ୍ଷା ବ୍ୟବସ୍ଥା ରଖିଛି, ସେନେଇ ମଧ୍ୟ ସରକାର ଜବାବ ମାଗିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories